କୌଣସି ଆଲୋଚନା ପାଇଁ ଡାକିନି ଭାରତ, ତଥାପି ଏତେ ବିକଳ କାହିଁକି ଇମ୍ରାନ ? କେଉଁ କାରଣରୁ ଏତେ ସବୁ ସର୍ତ୍ତ

ଇସଲାମାବାଦ: ଭାରତ ସହ କଥା ହେବାକୁ ଅପେକ୍ଷା କରିଛି ପାକିସ୍ତାନ । କିନ୍ତୁ ଯେପର୍ଯ୍ୟ ଆତଙ୍କବାଦ ପାକିସ୍ତାନ ବନ୍ଦ ନକରିଛି ସେ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହ କୌଣସି କଥା ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତ । ତଥାପି ଏସବୁ ସର୍ତ୍ତ କାହିଁକି ରଖୁଛନ୍ତି ଇମ୍ରାନ । ସୂଚନା ଅନୁସାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ କିଛି ମାସ ହେବ ଭାରତ ସହ ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି । ଯଦିଓ ଏବେ ପର୍ଯ୍ୟନ୍ତ ଯେତେବେଳେ ତାଙ୍କୁ କହିବାର ସୁଯୋଗ ମିଳିଛି, ସେ ଯାହା ବି ପ୍ରସଙ୍ଗ ହେଉନା କାହିଁକି, ସେ ନିଶ୍ଚିତ ଭାବରେ ଭାରତ ସହ ସମ୍ପର୍କ ଏବଂ କାଶ୍ମୀର ପ୍ରସଙ୍ଗ ନିଶ୍ଚିନ୍ତ ଭାବେ ଉଠାଇଛନ୍ତି ।

ଦୁଇ ଦିନ ପୂର୍ବେ ଇସଲାମାବାଦରେ ପହଞ୍ଚିଥିବା ତାଜିକିସ୍ତାନର ରାଷ୍ଟ୍ରପତିଙ୍କ ସହ ଏକ ସାକ୍ଷାତକାରରେ ମଧ୍ୟ ଇମ୍ରାନ ଭାରତ କଥା ଉଠାଇଥିଲେ । ଏକ ସାକ୍ଷାତାକାର ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଜାମ୍ମୁ କାଶ୍ମୀରରେ ଭାରତ ଧାରା ୩୭୦ ପୁଣି ଲାଗୁ କରନ୍ତି ତ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେପଟେ ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ବୋଲି ଭାରତ ସ୍ପଷ୍ଟ ଭାବେ କହିଛି।

ସର୍ତ୍ତର ସହ ଆଲୋଚନା କରିବାକୁ କହୁଛି ପାକିସ୍ତାନ

ଭାରତ ସହ କଥାବାର୍ତ୍ତା ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନ ଉପରେ ଇମ୍ରାନ କହିଛନ୍ତି ଯେ, ଯଦି କିଛି ପ୍ରସଙ୍ଗରେ କଥା ହେବରେ ଅଛି ତେବେ ହଁ, ଆମେ ଆଲୋଚନା କରିବୁ। ଏହାପୂର୍ବରୁ ଇମ୍ରାନ ଖାନ ଏବଂ ତାଙ୍କ ସରକାରର ଅନେକ ନେତା କହିଥିଲେ ଯେ ଭାରତ ସହ ସମ୍ପର୍କ ସ୍ୱାଭାବିକ କରିବା ପୂର୍ବରୁ ୨୦୧୯ରେ କାଶ୍ମୀରରେ ପୁରୁଣା ସ୍ଥିତିକୁ ଫେରାଇବାକୁ ପଡିବ। ଯଦି ପାକିସ୍ତାନର ଏହି ସର୍ତ୍ତକୁ ଭାରତ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ବର୍ତ୍ତମାନ ଏମିତି କରିବା ଅସମ୍ଭବ ମନେହୁଏ।

ପୁଣି ଧାରା ୩୭୦କୁ ଚାହୁଁଛନ୍ତି ଇମ୍ରାନ

ସୂଚନା ଯୋଗ୍ୟ ଯେ, ୫ ଅଗଷ୍ଟ ୨୦୧୯ରେ, ଜାମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା ଭାରତ ଧାରା ୩୭୦ ଏବଂ ୩୫(କ) ରଦ୍ଦ କରିଦିଆଛି  । ଏବଂ ସେବେଠାରୁ ଏହି ରାଜ୍ୟରେ ଭାରତର ସମ୍ବିଧାନ ଏବଂ ନିୟମ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। କେବଳ ଏତିକି ନୁହେଁ, ଭାରତ ସରକାର ଜାମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି ରାଜ୍ୟର ସ୍ଥିତିକୁ ରଦ୍ଦ କରି ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ପରିଣତ କରିଛନ୍ତି। ଏହି ନିଷ୍ପତ୍ତିରେ ରାଗିଯାଇ ପାକିସ୍ତାନ ସରକାର ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରି ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରି ନେଇଥିଲେ।

ଭାରତକୁ କାଶ୍ମୀରର ରୋଡମ୍ୟାପ ମାଗିଛନ୍ତି ଇମ୍ରାନ

ଇମ୍ରାନ ଖାନ କହିଛନ୍ତି ଯେ, ଯଦି ଭାରତ ଆମକୁ କାଶ୍ମୀରର ପୁରୁଣା ସ୍ଥିତି ଫେରାଇବାକୁ ପଦକ୍ଷେପ ନେବାକଥା କହେ ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ଇମ୍ରାନ ଏପରିକି ଦାବି କରିଛନ୍ତି ଯେ, ସେ ସର୍ବଦା ଭାରତ ସହ ସଭ୍ୟ ତଥା ଖୋଲା ସମ୍ପର୍କ ଚାହୁଁଛନ୍ତି। ୟୁରୋପୀୟ ସଂଘର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି ଆପଣ ଉପମହାଦେଶରେ ଦାରିଦ୍ର୍ୟ କମାଇବାକୁ କରିବାକୁ ଚାହାଁନ୍ତି, ତେବେ ସର୍ବୋତ୍ତମ ଉପାୟ ହେଉଛି ପରସ୍ପର ସହିତ ବ୍ୟବସାୟ କରିବା।

ତେବେ ଏସବୁ ମଧ୍ୟରେ କଥା ଉଠୁଛି ଯଦି ଭାରତ କୌଣସି ଆଲୋଚନା ଚାହୁଁନି ତେବେ ଏତେ ବିକଳ କାହିଁକି ହେଉଛନ୍ତି ଇମ୍ରାନ । ଏସବୁ ସର୍ତ୍ତ ମଧ୍ୟରେ ଭାରତ ସବୁ ବେଳେ ଗୋଟିଏ ହିଁ ଉତ୍ତର  ଦେଇ ଥାଏ ପ୍ରଥମେ ଆତଙ୍କବାଦକୁ ପାକିସ୍ତାନ ବନ୍ଦ କରୁ । ଏବଂ ଭାରତ ସ୍ପଷ୍ଟ ଭାବେ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ପ୍ରୟୋଜକ ରହିଆସିଛି, ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ।

Leave a Reply