ଉତ୍ତେଜନା ଭିତରେ ବିଦେଶର ସହାୟତା ଲୋଡୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବିଦେଶର ସହାୟତା ଲୋଡୁଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।  ବିଭିନ୍ନ ଉପସାଗରୀୟ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି ସରିଫ ।  ସାଉଦିଆରବ, କୁଏତ ଓ ୟୁଏଇର ରାଷ୍ଟ୍ରଦୂତଙ୍କ ସହ ଏନେଇ ସେ ଆଲୋଚନା କରିଛନ୍ତି ।  ଏପ୍ରିଲ ୨୨ ପହଲଗାଓଁ ହମଲା ପରଠାରୁ ପାକିସ୍ତାନ ଉପରେ ବଢୁଛି ଆନ୍ତର୍ଜାତିକ ଚାପ । ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ଲାଗି ଗୁଇନ୍ଦା ସୂତ୍ରରୁ ଖବର ମିଳିଛି ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ସୂଚନା ଦେବା ପରେ ବିଚଳିତ ହୋଇଛି ପାକିସ୍ତାନ । ସେପଟେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ନ କରିବା ଲାଗି ପାକିସ୍ତାନ ଉପରେ ବି ଆମେରିକା ଓ ଅନ୍ୟ ଦେଶ ବି ଚାପ ପକାଇଛନ୍ତି । ପାକ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ- ସାଉଦିଆରବ ସମେତ ଅନ୍ୟ ଭ୍ରାତୃତ୍ବସମ୍ପନ୍ନ ରାଷ୍ଟ୍ରଠାରୁ ସମର୍ଥନ ପାଇବା ଲାଗି ପାକିସ୍ତାନ ଚେଷ୍ଟା ଚଳାଇଛି । ପହଲଗାଓଁ ହମଲା ଘଟଣାରେ ପାକିସ୍ତାନର ହାତ ନାହିଁ ବୋଲି ୟୁଏଇ ରାଷ୍ଟ୍ରଦୂତ ହମାଦ ଓବେଦ ଜାବିଙ୍କୁ ସରିଫ କହିଥିବା ସୂଚନା ମିଳିଛି । ସେହିପରି ସାଉଦିଆରବ ରାଷ୍ଟ୍ରଦୂତ ନବାଫ ବିନ ସୟିଦ ମାଲିକିଙ୍କୁ ବି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ସରିଫ । କୁପଓ୍ବାଡା, ବାରମୁଲ୍ଲା, ପୁଞ୍ଚ, ନୌସେରା ଓ ଅଖନୁର ଅଞ୍ଚଳରୁ ପାକିସ୍ତାନ ପଟୁ ଗୁଳିବର୍ଷଣ କରାଯାଇଥିବା ସଂକ୍ରାନ୍ତ ଭାରତର ଅଭିଯୋଗ ନେଇ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।