ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଜନତାଙ୍କ ସାମ୍ନାରେ ପଦ ଛାଡ଼ିବା ନେଇ ଚର୍ଚ୍ଚା

ଇସଲାମାବାଦ: ଆଜି ଇସ୍ତଫା ଦେଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇସଲାମାବାଦରେ ସାର୍ବଜନିକ ରାଲିରେ ଜନତାଙ୍କ ସାମ୍ନାରେ ଇମ୍ରାନ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି । ଏହି ରାଲିରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନ୍‌ସାଫ ଜନତାଙ୍କ ସାମ୍ନାରେ ନିଜର ଶକ୍ତି ପ୍ରଦର୍ଶନ କରିବ । ବିରୋଧୀ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ବଳ ଦେଖାଇବାକୁ ଆଜି ପିଟିଆଇ ରାଲିର ଆୟୋଜନ କରିବ । ଦେଶ ଚଳାଇବା ପାଇଁ ଇମ୍ରାନ ଖାନ ବର୍ତ୍ତମାନ ଆର୍ଥିକ ଓ ସାମାଜିକ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି ।

ଏହା ବାଦ୍‌ ବିରୋଧୀ ଦଳ ଇମ୍ରାନ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଯାହାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି ଇମ୍ରାନ । ଏପଟେ ନିଜ ଦଳର କିଛି ସଂସାଦ ଇମ୍ରାନଙ୍କ ବିରୋଧରେ ବିଦ୍ରୋହ କରିଥିବାରୁ ଇମ୍ରାନଙ୍କ ଆସନ ଟଳମଳ ହୋଇଛି । ଆଜି ଇସଲାମାବାଦରେ ଇମ୍ରାନ ଏକ ରାଲି କରିବେ ଓ ସମସ୍ତଙ୍କ ସାମ୍ନାରେ ଇସ୍ତଫା ଦେବେ । ଇମ୍ରାନଙ୍କ ଦଳ ପାଖରେ ବହୁମତ ନଥିବାରୁ ଅନ୍ୟ ଦଳ ସହ ମେଣ୍ଟ ଗଠନ କରି ସରକାର ଗଠନ କରିଥିଲା । କିନ୍ତୁ ଏବେ ଇମ୍ରାନଙ୍କ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି ।