ପାକିସ୍ତାନରେ କିଏ ଗଢିବ ସରକାର, ଆସିପାରୁନି ସ୍ପଷ୍ଟ ଚିତ୍ର

1 min read

କରାଚି: ଦିନ ପରେ ଦିନ ଗଡୁଛି। ତଥାପି ସରୁନି ପାକିସ୍ତାନ ସସପେନସ। ସରକାର ଗଠନ ନେଇ ଆସିପାରୁନି ସ୍ପଷ୍ଟ ଚିତ୍ର। ତେଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ଏନ ଓ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବାଧୀନ ପାକିସ୍ତାନ ପିପୁଲସ ପାର୍ଟି ମଧ୍ଯରେ ସରକାର ଗଠନ ନେଇ ଚାଲିଛି ଆଲୋଚନା। ଦେଶକୁ ରାଜନୈତିକ ଅସ୍ଥିରତାରୁ ରକ୍ଷା କରିବା ଲାଗି ଦୁଇ ଦଳ ମଧ୍ଯରେ ଚେଷ୍ଟା ଜାରି ରହିଛି ବୋଲି କୁହାଯାଇଛି।

ସରକାର ଗଠନ ଲାଗି ଦୁଇ ଦଳ ଏକରକମ ସହମତି ହୋଇଥିବା ସୂଚନା ମିଳିଛି। ପିଏମଏଲଏନ ୭୫ ଆସନ ପାଇଥିବାବେଳେ ପିପିପି ହାସଲ କରିଛି ୫୪ ଆସନ। ପାକିସ୍ତାନ ତେହରିକ ଇ ଇନସାଫ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ଯା ରହିଛି ୧୦୧ । ସେହିପରି ୧୭ ଆସନ ଲାଭ କରିଥିବା ମୁତାହିଦା କ୍ବାମୀ ମୁଭମେଣ୍ଟ ସହ ମଧ୍ଯ ସରକାର ଗଠନ ଲାଗି ଆଲୋଚନା କରିଛନ୍ତି ପିଏମଏଲଏନ ଓ ପିପିପି। ୩୩୬ ଆସନ ବିଶିଷ୍ଟ ନ୍ଯାସନାଲ ଆସେମ୍ବ୍ଲିରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ୧୬୯ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ଯକ।

ତେଣେ ଅନ୍ଯ କୌଣସି ଏକ ସ୍ବୀକୃତିପ୍ରାପ୍ତ ଦଳ ସହ ମିଶି ସରକାର ଗଠନ ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛି ପିଟିଆଇ। ରାଷ୍ଟ୍ରପତି ଆରିଫ ଆଲଭି ଆସନ୍ତା ଫେବ୍ରୁଆରୀ ୨୯ ସୁଦ୍ଧା ନ୍ଯାସନାଲ ଆସେମ୍ବ୍ଲି ଅଧିବେଶନ ଡାକିବା ଲାଗି ଖୁବ୍ ଶୀଘ୍ର ସମନ ଜାରି କରିବେ ବୋଲି ସୂଚନା ମିଳିଛି।