ସରିଲା ଡେଡଲାଇନ୍, ଇମ୍ରାନଙ୍କ ଜମାନ ପାର୍କ ବାସଭବନେର ଆରମ୍ଭ ହୋଇପାରେ ପୋଲିସ ଅପରେସନ

1 min read

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋରସ୍ଥିତ ଜମାନ ପାର୍କ ବାସଭବନେର ଆରମ୍ଭ ହୋଇପାରେ ପୋଲିସ ଅପରେସନ । ଘରେ ୪୦ ଆତଙ୍କବାଦୀ ଥିବା ନେଇ ଅଭିଯୋଗ ହେବା ପରେ ଆକ୍ସନ ମୋଡରେ ପୋଲିସ । ଦିଆଯାଇଥିବା ୨୪ ଘଣ୍ଟାର ଡେଡଲାଇନ୍ ସରିବା ପରେ କୌଣସି ମୁହୂର୍ତ୍ତରେ ଇମ୍ରାନଙ୍କ ଘରେ ପଶିପାରେ ପୋଲିସ । ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ ହାତରେ ଅର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆତଙ୍କୀଙ୍କୁ ବାହାର କରିବା ଲାଗି ପୋଲିସ ଅପରେସନ ଆରମ୍ଭ କରିବା ସହ ଇମ୍ରାନଙ୍କ ବାସଭବନକୁ ଘେରି ରହିଛନ୍ତି ପୋଲିସ । ପଞ୍ଜାବ ସରକାର କହିଛନ୍ତି ଡେଡଲାଇନ ସରିଥିବାରୁ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଇମ୍ରାନଙ୍କ ବାସଭବନ ଚାରିପାଖେ ଅସ୍ତ୍ରଧାରୀ ପୋଲିସ ପଇଁତରା ମାରୁଥିବାବେଳେ ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ପୋଲିସ ବାହିନୀକୁ ସତର୍କ ରଖାଯାଇଛି ।

ପଞ୍ଜାବ ସୂଚନା ମନ୍ତ୍ରୀ ଆମିର ମୀର କହିଛନ୍ତି- ଇମ୍ରାନଙ୍କ ଘରେ ପ୍ରାୟ ୪୦ ଜଣ ଆତଙ୍କୀ ରହିଛନ୍ତି । ପାକିସ୍ତାନ ଆର୍ମି ଆକ୍ଟ ଓ ଅଫିସିଆଲ ସିକ୍ରେଟସ ଆକ୍ଟ ଅନୁସାରେ ଇମ୍ରାନଙ୍କ ବିଚାର କରାଯିବ । ପୋଲିସ କହିଛି- ଜମାନ ପାର୍କ ଇଲାକାରୁ ୮ ଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନେ ମେ ୯ରେ ବିଭିନ୍ନ ଆର୍ମି ପ୍ରତିଷ୍ଠାନ ଉପରେ ଆକ୍ରମଣ ଲାଗି ଯୋଜନା କରିଥିବା ନେଇ ଅଭିଯୋଗ ହୋଇଥିଲା । ପେଶାଓ୍ବାର କୋର କମାଣ୍ଡରଙ୍କ ଘର ଉପରେ ଆକ୍ରମଣ ଲାଗି ଯୋଜନା କରାଯାଇଥିଲା ବୋଲି ପୋଲିସ କହିଛି । ଲାହୋରସ୍ଥିତ କର୍ପସ କମାଣ୍ଡରଙ୍କ ଘରେ ନିଆଁ ଲଗାଇବା ଘଟଣାରେ ଗତ ମେ ୧୦ ତାରିଖରେ ଇମ୍ରାନ ଓ ତାଙ୍କର ଶତାଧିକ କର୍ମୀଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ ।