ଭିକାରି ଦେବ ଦାନ : ୩୪ ପ୍ରତିଶତ ଭାରତୀୟଙ୍କ ପାଖରେ ନାହିଁ ଖାଦ୍ୟ,ଆମେ କରିବୁ ସାହାଯ୍ୟ

1 min read

ନୂଆଦିଲ୍ଲୀ: କଥାରେ କୁହନ୍ତି ଘରେ ଖାଇବାକୁ ଦାନା ନାହିଁ କିନ୍ତୁ ଷ୍ଟାଇଲ୍ ନବାବୀ । କରଜ ଶୁଝିବାକୁ କରଜ କରୁଥିବା ପାକିସ୍ତାନ ଭାରତକୁ ସାହାଯ୍ୟ କରିବ । ଖୋଦ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏମିତି କହିଛନ୍ତି । ଇମ୍ରାନ୍ ଖାନ୍ ଏକ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଯେ, ୩୪ ପ୍ରତିଶତ ଭାରତୀୟ ବିନା ସହାୟତରେ ଏକ ସପ୍ତାହରୁ ଅଧିକ ଚଳି ପାରିବେ ନାହିଁ ।

ଇମ୍ରାନ୍ ସେହି ଖବରକୁ ଟ୍ୱିଟ୍ କରି କହିଛନ୍ତି ଯେ, ‘ଏହି ରିପୋର୍ଟ ଅନୁସାରେ ଭାରତର ୩୪ ପ୍ରତିଶତ ପରିବାର ବିନା ସହାୟତାରେ ଏକ ସପ୍ତାହରୁ ଅଧିକ ଚଳି ପାରିବେ ନାହିଁ । ମୁଁ ଭାରତକୁ ସାହାଯ୍ୟ କରିବାକୁ ଓ ଆମ ମନି ଟ୍ରାନ୍ସଫର ପୋଗ୍ରାମ ସେମାନଙ୍କ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି । ଯାହାର ସଫଳତା ଓ ପାରଦର୍ଶିତାକୁ ନେଇ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ହେଉଛି’

ଶିକାଗୋ ବିଶ୍ୱବିଦ୍ୟାଳୟ ଓ ମୁମ୍ବାଇର ସେଣ୍ଟର ଫର ମନିଟରିଂ ଦ ଇଣ୍ଡିଆନ୍ ଇକୋନମିର ରିପୋର୍ଟରେ ଦାବି କରାଯାଇଥିଲା ଯେ, ପ୍ରାୟ ୩୪ ପ୍ରତିଶତ ଭାରତୀୟ ପରିବାରର ଆୟ ଲକଡାଉନ୍ କାରଣରୁ ପ୍ରଭାବିତ ହୋଇଛି । ସରକାରୀ ସହାୟତା ବିନା ଏହି ପରିବାର ସବୁ ଏକ ସପ୍ତାହରୁ ଅଧିକ ବଂଚି ପାରିବେ ନାହିଁ । ଏହି ରିପୋର୍ଟକୁ ଆଳ କରି ଇମ୍ରାନ୍ ଭାରତକୁ ସାହାଯ୍ୟ ଅଫର କରିଛନ୍ତି
ତେବେ କଥା ହେଲା ପାକିସ୍ତାନ ନିଜେ ଚଳିବାକୁ ସକ୍ଷମ କି ? କାରଣ ପାକିସ୍ତାନ କରଜ ତଳେ ଦବି ରହିଛି । କରଜ ପାଇଁ ଆଗରୁ ଏହା ଆମେରିକା ଓ ଆଇଏମଏଫ ଉପରେ ନିର୍ଭର କରୁଥିଲା । ଏବେ ଚୀନ୍ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ୱାନ୍ ବେଲ୍ଟ ୱାନ୍ ରୋଡ୍ ପାଇଁ ଚୀନଠାରୁ ଆଣିଥିବା କରଜ ପାକିସ୍ତାନ ଶୁଝି ପାରୁନାହିଁ । ତେଣୁ ଏହା ଲୋନ୍ ଆଣି ଲୋନ୍ ଶୁଝୁଛି । ଏମିତିରେ ପାକିସ୍ତାନର ଭାରତକୁ ଅଫର ନିଶ୍ଚୟ ହାସ୍ୟସ୍ପଦ ।

ଭାରତର ଉତ୍ତର

ଭାରତ ଇମ୍ରାନଙ୍କୁ ଉତ୍ତର ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଆଇନା ଦେଖାଇ କହିଛନ୍ତି ଯେ, ପାକିସ୍ତାନ ଏହା ମନେ ରଖିବା ଉଚିତ ଯେ, ତାର ଜିଡିପିର ୯୦ ପ୍ରତିଶତ ଲୋନ୍ । ଆଉ ଆମେ ଯେତିକି ସହାୟତା ପ୍ୟାକେଜ୍ ଦେଇଛୁ ତାହା ପାକିସ୍ତାନୀ ଜିଡିପିଠାରୁ ମଧ୍ୟ ଅଧିକ ।

 

Leave a Reply