ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କର ଫାଇନାଲ ଫାଇଟ୍, ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ହେବ ଭୋଟିଂ

ଇସଲାମାବାଦ: ଆଜି ଇମ୍ରାନଙ୍କ ଫ୍ଲୋର ଟେଷ୍ଟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଆଜି ହେବ ଭାଗ୍ୟ ପରୀକ୍ଷା । ଆଜି ପାକିସ୍ତାନ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ହେବ ଭୋଟିଂ । ଏପଟେ ଅବିଶ୍ବାସ ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ସୁପ୍ରିମକୋର୍ଟଙ୍କ ରାୟ ତାଙ୍କୁ ଗଭୀର ଦୁଃଖ ଦେଇଛି ବୋଲି କହିଲେ ଇମ୍ରାନ୍‌ ଖାନ୍‌ । ୨୬ ବର୍ଷ ପୂର୍ବରୁ ପିଟିଆଇ ଦଳ ଆରମ୍ଭ ହୋଇଥିବା ବେଳେ ଆଜି ବି ନୀତି ନୈତିକତାକୁ ନେଇ ନେଇ ମୁଁ ଆଗକୁ ବଢ଼ୁଛି । କିନ୍ତୁ ପାକିସ୍ତାନର ଭବିଷ୍ୟତ ଚିନ୍ତା କାହାରି ନାହିଁ ।

ବିରୋଧୀ ଦଳ ଆମେରିକା ପାଖରେ ମୁଣ୍ଡ ବିକିଦେଇଛନ୍ତି । ନିଜର ଅର୍ଥକୁ ସୁରକ୍ଷା ଦେବା ପାଇଁ ବିରୋଧୀ ପାକିସ୍ତାନକୁ ତଳିତଳାନ୍ତ କରିବାକୁ ମଧ୍ୟ ପଛାଉନାହାନ୍ତି । କିନ୍ତୁ ମୁଁ ସବୁବେଳେ ପାକିସ୍ତାନର ବିକାଶ କଥା ଚିନ୍ତା କରେ । ପାକିସ୍ତାନରେ ଯାହା ବି କିଛି ଚାଲିଛି ଅନ୍ୟ କୌଣସି ଦେଶରେ ଏମିତି ହୁଏ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି । ୪ ମାସ ତଳେ ମୋ ବିରୋଧରେ ଆମେରିକା ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ହେଲେ ସେମାନେ କେବେବି ସଫଳ ହେବେ ନାହିଁ । ପ୍ରଧାନମନ୍ତ୍ରୀ ପଦ ଯାଉ ପଛେ ପାକିସ୍ତାନର ବିକାଶ ପାଇଁ ସବୁ ବେଳେ ସଂଘର୍ଷ ଜାରି ରହିବ । ଏଥିସହ ଭାରତକୁ ମଧ୍ୟ ପ୍ରଶଂସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ।