ପାକିସ୍ତାନକୁ ନିଜ ଦ୍ୱିତୀୟ ଘର କହିଲା ତାଲିବାନ,ଭାରତକୁ ଦେଲା ପରାମର୍ଶ

କାବୁଲ: ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଏକଥା ଅଲଗା କେହି ନୁହେଁ ଖୋଦ ତାଲିବାନ ସ୍ୱୀକାର କରିଛି । ଏକା ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ତାଲିବାନର ମୁଖପାତ୍ର ମୁଜାହିଦ୍ ଏହା କହିଛନ୍ତି । ମୁଜାହିଦ୍ ଅନୁସାରେ ପାକିସ୍ତାନ ଆଫଗାନିସ୍ତାନର ପଡୋଷୀ ଦେଶ । ପାକିସ୍ତାନ ସହିତ ଆଫଗାନିସ୍ତାନର ସୀମା ଲାଗିଛି । ଏଣୁ ଆମେ ପାକିସ୍ତାନ ସହିତ ରଣନୈତିକ ଓ କୂଟନୈତିକ ସମ୍ପର୍କ ରଖିବୁ । ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଦୁଇ ଦେଶର ଧର୍ମ ଗୋଟିଏ । ତେଣୁ ଆମେ ସେମାନଙ୍କ ସହିତ ମିଶିଯାଇଥାଉ । ତେଣୁ ଆମେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ଚାହିଁବୁ ।

ଏହା ସହ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନ କବଜାରେ ପାକିସ୍ତାନର କୌଣସି ଭୂମିକା ନାହିଁ । ପାକିସ୍ତାନ କେବେ ମଧ୍ୟ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରେ ନାହିଁ ବୋଲି ସେ କହିଛନ୍ତି ।

ଭାରତ ସହିତ ସମ୍ପର୍କ ଉପରେ ପ୍ରଶ୍ନର ଉତ୍ତର ଦେଇ ତାଲିବାନ ମୁଖପାତ୍ର କହିଥିଲେ ଯେ, ଭାରତ ଏହି ଅଂଚଳର ଏକ ବଡ ଦେଶ । ଆମେ ଭାରତ ସହିତ ବାକି ଦେଶଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହୁଁ । ଭାରତକୁ ଆଫଗାନିସ୍ତାନୀଙ୍କ ହିତକୁ ଦୃଷ୍ଟିରେ ରଖି ନିଜ ନୀତି ନିର୍ଧାରଣ କରିବାକୁ ପଡିବ ।

କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର କହିଥିଲେ ଯେ, ଉଭୟ ଭାରତ ଓ ପାକିସ୍ତାନ ଏହି ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାର ଆବଶ୍ୟକତା ରହିଛି । କାଶ୍ମୀରକୁ ନେଇ ଭାରତ ସକରାତ୍ମକ ନୀତି ଆପଣାଉ ବୋଲି ତାଲିବାନ ଭାରତକୁ ପରାମର୍ଶ ଦେଇଛି ।

 

Leave a Reply