ଗାଦିରୁ ହଟିବେ ପାକ୍ ପ୍ରଧାନମନ୍ତ୍ରୀ, ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

1 min read

ଇସଲାମାବାଦ: ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନଙ୍କ ବିରୋଧରେ ଅନସ୍ତା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ୮୬ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ପ୍ରସ୍ତାବ ଆଣିବାକୁ ୬୮ ଜଣ ସଦସ୍ୟଙ୍କର ସହମତି ଆବଶ୍ୟକ ରହିଥିବାରୁ ୮୬ ଜଣ ପ୍ରସ୍ତାବକୁ ସମର୍ଥନ କରିଥିବାରୁ ଅନାସ୍ଥା ପ୍ରସ୍ତାବ ପାଇଁ ଅଧିବେଶନ ଡକାଯିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଆଗାମୀ ୩ରୁ ୭ ଦିନ ମଧ୍ୟରେ ଏହି ପ୍ରସ୍ତାବ ବାବଦରେ ଆଲୋଚନା ପାଇଁ ଅଧିବେଶନ ଡକାଯିବ । ଏହାକୁ ଦୃଷ୍ଟିରେ ରଖି ଉଭୟ ବିରୋଧୀ ଦଳର ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାଠାରୁ ଆରମ୍ଭ କରି ଶାସନ କ୍ଷମତାର ଦୁରୂପଯୋଗ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଜରୁରୀ ରହିଛି । ତୁରନ୍ତ ଇସ୍ତଫା ଦେଇ ସଂସଦ ଭଙ୍ଗ କରିବା ଲାଗି ଇମ୍ରାନଙ୍କୁ ଆହ୍ୱାନ ଦେଇଥିଲେ ବିରୋଧୀ ପାକିସ୍ତାନ ପିପୁଲସ ପାର୍ଟି ନେତା ବିଲଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଆସେମ୍ବ୍ଲିରେ ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ-ଇ-ଇନସାଫର ୧୫୫ ସଦସ୍ୟ ରହିଛନ୍ତି । ତେବେ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ମ୍ୟାଜିକ ନମ୍ବରଠାରୁ ଅଧିକ ହେବା ସମ୍ଭାବନା ରହିଛି । ପାକିସ୍ତାନ ମୁସଲିମ ଲିଗ-ଏନର ୮୪ ସଦସ୍ୟ ଥିବାବେଳେ ପିପିପିର ସଦସ୍ୟ ସଂଖ୍ୟା ରହିଛନ୍ତି ୫୬ ।