ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି; ଜାମିନ ବିହୀନ ଗିରଫ ପରୱାନା ସସପେଣ୍ଡ କଲେ କୋର୍ଟ

ଇସଲାମାବାଦ: ଇମ୍ରାନ ଖାନଙ୍କୁ ବଡ଼ ଆଶ୍ବସ୍ତି । ଗିରଫ ପରଓ୍ବାନା ସସପେଣ୍ଡ କଲେ ଇସଲାମାବାଦ କୋର୍ଟ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଜାମିନ ବିହିନ ଗିରଫ ପରଓ୍ବାନାକୁ ଇମଲାମାବାଦ ଜିଲ୍ଲା ଓ ସେସନ କୋର୍ଟ ସସପେଣ୍ଡ କରିଦେଇଛନ୍ତି । ମାର୍ଚ୍ଚ ୧୬ ଯାଏଁ ଇମ୍ରାନଙ୍କୁ ଗିରଫ କରିହେବନାହିଁ ବୋଲି କୋର୍ଟ କହିଛନ୍ତି । ଗତ ବର୍ଷ ଏକ ନିର୍ବାଚନୀ ସଭାରେ ଆଡିସନାଲ ଜଜ୍ ଙ୍କ ପ୍ରତି ଇମ୍ରାନ ଧମକପୂର୍ଣ୍ଣ ଭାଷାର ବ୍ୟବହାର କରିଥିଲେ । ଏହି ମାମଲାରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ ।

ଏମିତି କି ଇସଲାମାବାଦ ପୋଲିସ ହେଲିକପ୍ଟର ସହାୟତାରେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲା । କାରଣ ପୂର୍ବରୁ ଗିରଫ କରିବାକୁ ପୋଲିସ ଯିବାବେଳେ ଇମ୍ରାନଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାର ସୁଯୋଗ ଉଠାଇ ଇମ୍ରାନ ମଧ୍ୟ ଫେରାର ହୋଇଯାଇଥିଲେ । ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ଆକାଶ ମାର୍ଗ ଚୟନ କରାଯାଇଥିଲା । କୁହାଯାଉଥିଲା ଯେ ଆଜି ଇମ୍ରାନ ଗିରଫ ହେବେ ବୋଲି । ହେଲେ ୧୬ ତାରିଖ ଯାଏଁ ତାଙ୍କୁ ଆଶ୍ୱସ୍ତି ମିଳିଛି । ୧୬ ପରେ ହିଁ ଜଣାପଡ଼ିବ ଯେ ସେ ଏହି ମାମଲାରେ ଗିରଫ ହେବେ କି ନାହିଁ ।