ପାକିସ୍ତାନ ଯାହାଙ୍କୁ ଖୋଜୁଛି ତାଙ୍କୁ ଭାରତ ଦେଲା ପଦ୍ମଶ୍ରୀ, ଜାଣନ୍ତୁ କ’ଣ ପାଇଁ ଇମ୍ରାନ ଆଣ୍ଡ୍ କୋ ଏହି ଛବିକୁ ଭୁଲିବାକୁ ଚାହିଁବ ..

1 min read

ନୂଆଦିଲ୍ଲୀ: ବୁଧବାର ଦିନ ରାଷ୍ଟ୍ରପତି ଭବନରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଯଦି ପାକିସ୍ତାନୀ ଶାସକ ଦେଖିଥିବେ ତେବେ ସେମାନଙ୍କ ନିଦ ହଜିଯାଇଥିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ୧୯୭୧ ମସିହା ବଙ୍ଗଳାଦେଶ ମୁକ୍ତି ସଂଗ୍ରାମର ହିରୋ ଏବଂ ପାକିସ୍ତାନ ସେନାରେ କର୍ଣ୍ଣେଲ ଥିବା କାଜୀ ସଜ୍ଜାଦ ଅଲ୍ଲୀ ଜହିରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ଯାହା ପାକିସ୍ତାନର ଘା’କୁ ପୁଣିଥରେ ଉଖୁରାଇ ଦେଇଛି। ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ଭୁଲିବାକୁ ଚାହୁଁଥିବା ପାକିସ୍ତାନୀ ସେନା ଓ ଇମ୍ରାନଙ୍କ ସେଇ ଘା’ ପୁଣି ତାଜା ହୋଇଥିବ। କାରଣ ପାକିସ୍ତାନ ସେନାରେ ସେତେବେଳେ କର୍ଣ୍ଣେଲ ଥିବା ବାଂଲା ମୁକ୍ତିଯୁଦ୍ଧକୁ ସମର୍ଥନ କରି ପାକିସ୍ତାନୀ ସେନାର ଅନେକ ଗୁପ୍ତ ତଥ୍ୟ ଭାରତକୁ ହସ୍ତାନ୍ତର କରିଥିଲେ। କେବଳ ଏତିକି ନୁହେଁ, ସେ ବାଂଲାଦେଶର ମୁକ୍ତ ବାହିନୀଙ୍କ ହଜାର ହଜାର ଯୋଦ୍ଧାଙ୍କୁ ସାମରିକ ତାଲିମ ମଧ୍ୟ ଦେଇଥିଲେ। କ୍ଷୁବ୍ଧ ପାକିସ୍ତାନ ସେତେବେଳ ତାଙ୍କ ନାଁରେ ମୃତ୍ୟୁ ୱାରେଣ୍ଟ ଜାରି କରିଥିଲା। କିନ୍ତୁ କାଜିଙ୍କୁ ପାକ୍ ସେନା କେବେ ମଧ୍ୟ ଧରି ପାରିନଥିଲା । ପାକିସ୍ତାନୀ ସେନାକୁ ଚକମା ଦେଇ ସେ ଭାରତ ପଳାଇ ଆସିଥିଲେ । ଆଉ ସେବେଠାରୁ ପାକିସ୍ତାନ ତାଙ୍କୁ ଖୋଜୁଛି । ସିଏ ପାଲଟି ଯାଇଛନ୍ତି ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ।

କାଜୀ ସାଜଜାଦ ଅଲି ଜହିର ଭାରତକୁ ପଳାୟନ କରିବା ପରେ ସେତେବେଳର ଇଷ୍ଟ ପାକିସ୍ତାନରେ ଥିବା ତାଙ୍କ ଘରକୁ ପାକିସ୍ତାନୀ ସେନା ଜାଳି ଦେଇଥିଲା । ତାଙ୍କ ମା ଏବଂ ଭଉଣୀଙ୍କୁ ମଧ୍ୟ ପାକିସ୍ତାନୀ ସେନା ଟାର୍ଗେଟ ମଧ୍ୟ କରିଥିଲେ, କିନ୍ତୁ ସେ ଦୁହେଁ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ୧୯୬୯ ଶେଷରେ କର୍ଣ୍ଣେଲ ଜହିର ପାକିସ୍ତାନୀ ସେନାରେ ଯୋଗ ଦେଇଥିଲେ । ସେତେବେଳେ ବାଂଲାଦେଶ ମଧ୍ୟ ପାକିସ୍ତାନ ଦ୍ୱାରା ଶାସିତ ହେଉଥିଲା। ପାକିସ୍ତାନୀ ସେନାର ଆର୍ଟିଲିରି କର୍ପସ (ଆର୍ଟିଲିରି)ରେ ଯୋଗ ଦେଇଥିବା ଜହିରଙ୍କୁ ତାଲିମ ପାଇଁ ପାକିସ୍ତାନର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା।

ପାକିସ୍ତାନୀ ସେନାର ୧୪ ପାରା ବ୍ରିଗେଡ୍ ସ୍ପେଶାଲ୍ ଫୋର୍ସରେ କର୍ଣ୍ଣେଲ ଜାହିରଙ୍କୁ ପାକିସ୍ତାନର ସ୍ପେଶାଲ୍ ଫୋର୍ସରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତାଙ୍କର ପ୍ରଶିକ୍ଷଣ ମଧ୍ୟ ପାକିସ୍ତାନର ସାଧାରଣ ସେନାର ସୈନିକଙ୍କଠାରୁ ବହୁତ ଭିନ୍ନ ଥିଲା ।ଇଏ ସେଇ ସମୟ ଥିଲା ଯେତେବେଳେ ଭାଷାକୁ ନେଇ ପଶ୍ଚିମ ଓ ପୂର୍ବ ପାକିସ୍ତାନ ମୁହାଁମୁହିଁ ହେଉଥିଲେ। ପାକିସ୍ତାନୀ ସେନା ପୂର୍ବ ପାକିସ୍ତାନ ବା ଏବର ବାଂଲାଦେଶ ର ସୈନିକ ଓ ଅଫିସରଙ୍କୁ ସନ୍ଦେହ କରୁଥିଲା । ସେମାନଙ୍କ ଉପରେ ନଜର ରଖୁଥିଲା । କାରଣ ପାକିସ୍ତାନୀ ସେନାର ଆଶଙ୍କା ଥିଲା ବଙ୍ଗାଳୀ ଅଫିସର ବିଦ୍ରୋହ କରି ପାରନ୍ତି।

ପାକିସ୍ତାନୀ ସେନାର ବଙ୍ଗାଳୀ ଅଧିକାରୀଙ୍କ ଉପରେ ଆଇଏସଆଇ ଏବଂ ଆଭ୍ୟନ୍ତରୀଣ ଗୁପ୍ତଚର ବିଭାଗ ନଜର ରଖିଥିଲା । ସନ୍ଦେହ ଏତେ ଅଧିକ ଥିଲା ଯେ, ଅଧିକାଂଶ ବାଂଲାଦେଶୀ ସୈନିକ ଏବଂ ଅଧିକାରୀଙ୍କୁ ଗ୍ରାଉଣ୍ଡ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା ।ଦୁଇ ଜଣ ବଙ୍ଗାଳୀ ସେନା ଅଧିକାରୀଙ୍କ ଏକାଠି ମିଶିବା ବାରଣ ଥିଲା । ସେମାନେ ଏକାଠି ଡ୍ୟୁଟି ମଧ୍ୟ କରିପାରୁନଥିଲେ । ଏହା ସତ୍ତ୍ବେ ଏହି ଅନେକ ବଙ୍ଗାଳୀ ସୈନିକ ଓ ଅଧିକାରୀ ପାକ୍ ସେନା ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ । ଯେଉଁମାନଙ୍କ ମଧ୍ୟରେ ଥିଲେ କର୍ଣ୍ଣେଲ ଜାହିର ।

ଜାମ୍ମୁ କାଶ୍ମୀର ସୀମା ଦେଇ ଜାହିର ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ସେହି ସମୟରେ ତାଙ୍କ ପାଖରେ ୨୦ ଟଙ୍କା ଓ କେବଳ ପିନ୍ଧିଥିବା ଡ୍ରେସ ଥିଲା । କିନ୍ତୁ ସେ ପାକିସ୍ତାନରୁ ଆସିଥିବା ସମୟରେ ପାକିସ୍ତାନ ସୀମାକୁ ନେଇଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଲୁଚେଇକି ସାଙ୍ଗରେ ଆଣିଥିଲେ ଏବଂ ସେ ସବୁ କାଗଜ ପତ୍ରକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ । ଭାରତ କର୍ଣ୍ଣେଲ ଜାହିରଙ୍କୁ ପୂର୍ଣ୍ଣ ସମ୍ମାନ ଦେଇଥିଲା ଏବଂ ତାଙ୍କୁ ବାଂଲାଦେଶର ମୁକ୍ତି ବାହିନୀ ଯୋଦ୍ଧାମାନଙ୍କୁ ତାଲିମ ଦେବା ଦାୟିତ୍ୱ ଦେଇଥିଲା | ଜହିର ହଜାର ହଜାର ବାଂଲାଦେଶୀ ନାଗରିକଙ୍କୁ ସାମରିକ ତାଲିମ ଦେଇଥିଲେ। ତାଙ୍କ ତତ୍ତ୍ବାବଧାନରେ ଭାରତୀୟ ସେନାକୁ ଦିଆଯାଇଥିବା ତୋପ ସହିତ ସିଲହେଟ ନିକଟରେ ଏକ ଫ୍ରଣ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା।

Leave a Reply