ବଲୁଚିସ୍ତାନ ବିସ୍ଫୋରଣ ପାଇଁ ଭାରତକୁ ଦାୟୀ କଲା ପାକିସ୍ତାନ

1 min read

ଇସଲାମାବାଦ: ଭାରତ-କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଥିବାବେଳେ ଏବେ ପାକିସ୍ତାନ ସହ ସୃଷ୍ଟି ହୋଇଛି ନୂଆ ବିବାଦ । ବଲୁଚିସ୍ତାନର ଘଟିଥିବା ଭୟାବହ ବିସ୍ଫୋରଣ ଘଟଣା ଲାଗି ଭାରତକୁ ଦାୟୀ କରିଛି ପାକିସ୍ତାନ । ଏହି ବିସ୍ଫୋରଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ରହିଛି ବୋଲି ପାକିସ୍ତାନ କହିଛି ।

ଗତ ଶୁକ୍ରବାର ମହମ୍ମଦ ଜୟନ୍ତୀ ପାଳନ ବେଳେ ବଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ମଦିନା ମସଜିଦରେ ବିସ୍ଫୋରଣ ଘଟି ୬୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହାର କିଛି ଘଣ୍ଟା ପରେ ଖାଇବର ପଖିତୁନଖାଓ୍ବାର ହାଙ୍ଗୁ ସହରରେ ଆଉ ଏକ ବିସ୍ଫୋରଣ ଘଟି ୫ ଜଣ ପ୍ରାଣ ହରାଇଥିଲେ । ପାକିସ୍ତାନର ସ୍ବରାଷ୍ଟ୍ର ମନ୍ତ୍ରୀ ସରଫରାଜ ବୁଗତି କହିଛନ୍ତି- ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ହାତ ରହିଛି । ମାସ୍ତୁଙ୍ଗ ଆତ୍ମଘାତୀ ବିସ୍ଫୋରଣରେ ଜଡିତ ଶକ୍ତିଙ୍କ ବିରୋଧରେ ବେସାମରିକ, ସାମରିକ ଓ ଅନ୍ଯାନ୍ୟ ପ୍ରତିଷ୍ଠାନ ଏକ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହି ଦୁଇଟି ବିସ୍ଫୋରଣ ଘଟଣାର ବର୍ତ୍ତମାନ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ବିସ୍ଫୋରଣ ଲାଗି କେହି ନିଜକୁ ଦାୟୀ କରିନାହାନ୍ତି ।