ଇମ୍ରାନଙ୍କୁ ତାଲିବାନର ଝଟକା,କହିଲା ‘ତୁମେ କଣ୍ଢେଇ,ଆମ ମାମଲାରେ ମୁଣ୍ଡ ଖେଳାଅ ନାହିଁ’

କାବୁଲ: ଆଫଗାନିସ୍ତାନରେ ତାଲିବାନ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ହେଉଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା । ତାଲିବାନକୁ କଣ୍ଢେଇ କରି ଆଫଗାନିସ୍ତାନ ଉପରେ ରାଜ କରିବାର ସ୍ୱପ୍ନକୁ ଲାଗିଛି ଜୋରଦାର ଆଘାତ । ଓଲଟା ତାଲିବାନ ତାଲିବାନ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ କଣ୍ଢେଇ ବୋଲି କହିଛି । ଯାହା ସପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓକିଲାତି କରି ଥକୁ ନାହାନ୍ତି ସେହି ତାଲିବାନ ତାଙ୍କୁ କଣ୍ଢେଇ ବୋଲି କହିବାକୁ ପଛାଇ ନାହିଁ । ତାଲିବାନର ସୋସିଆଲ ମିଡିଆ ମୁଖ୍ୟ ଜେନରାଲ ମୁବିନ ଇମ୍ରାନଙ୍କୁ ଆଫଗାନିସ୍ତାନ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି । ମୁବିନ୍ ନିଜ ବୟାନରେ ଇମ୍ରାନଙ୍କୁ ଶଖି କଣ୍ଢେଇ ବୋଲି କହିବାକୁ ପଛାଇ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଦିନକ ତଳେ ବିବିସିକୁ ଏକ ସାକ୍ଷାତକାର ଦେଇ ଇମ୍ରାନ ତାଲିବାନୀ ନେତାଙ୍କୁ ଆଫଗାନିସ୍ତାନରେ ସବୁ ପକ୍ଷର ପ୍ରତିନିଧିତ୍ୱରେ ସରକାର ଗଠନ ପାଇଁ ଉପଦେଶ ଦେଇଥିଲେ । ଇମ୍ରାନ କହିଥିଲେ ଯେ, ସରକାରରେ ଯଦି ସବୁ ପକ୍ଷ ସାମିଲ ନହୁଅନ୍ତି ତେବେ ଦେଶରେ ଗୃହଯୁଦ୍ଧ ପରିସ୍ଥିତ ସୃଷ୍ଟି ହେବ । ଏମିତିରେ ଦେଶ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଯିବ ।
ଇମ୍ରାନଙ୍କ ଏହି ବକ୍ତବ୍ୟ ତାଲିବାନକୁ ଚିଡାଇ ଦେଇଛି । ଜେନରାଲ ମୁବିନ କହିଛନ୍ତି ଯେ, ଆମ ଦେଶ ମାମଲାରେ ହସ୍ତକ୍ଷେପ କରିବାର ଅଧିକାର ଇମ୍ରାନଙ୍କର ନାହିଁ । ଯଦି ସେ ଏମିତି କରନ୍ତି ତେବେ ଆମକୁ ମଧ୍ୟ ତାଙ୍କ ଦେଶ ମାମଲାରେ ମୁଣ୍ଡ ଖେଳାଇବାର ହକ୍ ମିଳିଯିବ ।

କେବଳ ଏତିକି ନୁହେଁ ମୁବିନ୍ ମଧ୍ୟ ଇମ୍ରାନଙ୍କ ପ୍ରଧାନମନ୍ତ୍ରିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି । ସେ ପଚାରିଛନ୍ତି ଯେ, ଇମ୍ରାନ ନିଜେ ମଧ୍ୟ ନିର୍ବାଚିତ ପ୍ରଧାନମନ୍ତ୍ରୀ ନୁହନ୍ତି । ଆମ ଦେଶ ମାମଲାରେ ମୁଣ୍ଡ ଖେଳାଇଲେ ଆମେ ତୁମ ମାମଲାରେ ହସ୍ତକ୍ଷେପ କରିବୁ ବୋଲି ମୁବିନଙ୍କ ଧମକ ପାକିସ୍ତାନୀ ତାଲିବାନକୁ ସମର୍ଥନ ଆଡକୁ ଇଶାରା ଭାବେ ନିଆଯାଉଛି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ତେହରିକ୍ ଏ ତାଲିବାନ ପାକିସ୍ତାନର ମୁଖ୍ୟକୁ କାବୁଲ ଜେଲରୁ ମୁକ୍ତ କରିଦିଆଯାଇଥିଲା । ପାକିସ୍ତାନୀ ତାଲିବାନ ପାକ୍ ସେନା ପାଇଁ ବଡ଼ ବିପଦ । ଏହି ସଂଗଠନ ପାକିସ୍ତାନରେ ଆଫଗାନିସ୍ତାନ ଢାଂଚାରେ ଇସଲାମିକ୍ ଶାସନ ଚାହୁଁଛି ।

Leave a Reply