୪ ବର୍ଷ ପରେ ପାକିସ୍ତାନକୁ ମିଳିଲା ନିସ୍ତାର, ଏଣିକି ମିଳିବ ଆର୍ଥିକ ସହାୟତା

ଇସଲାମାବାଦ: ଏଫ୍‌ଏଟିଏଫ୍‌ର ଗ୍ରେ ଲିଷ୍ଟରୁ ହଟିଲା ପାକିସ୍ତାନ । ଏନେଇ ଏଫ୍‌ଏଟିଏଫ୍‌ର ପକ୍ଷରୁ ସୂଚନା ଦିଆଯାଇଛି । ଆର୍ଥିକ ହେର୍‌ଫେର୍‌ରେ ମାମଲାରେ ସୁଧାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଓ ଆତଙ୍କ ନିରୋଧୀ କ୍ଷେତ୍ରରେ ପାକିସ୍ତାନର ଉନ୍ନତିମୂଳକ କାମକୁ ଏଫ୍‌ଏଟିଏଫ୍‌ ସ୍ବାଗତ କରିଛି । ପାକିସ୍ତାନ ଏ ଦିଗରେ ଲଢ଼େଇ ଜାରି ରଖିଛି ବୋଲି ଏଫ୍‌ଏଟିଏଫ୍‌ କହିଛି ।

ପାକିସ୍ତାନ ଉପରେ ଆର୍ଥିକ ହେର୍‌ଫେର୍‌ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ହୋଇଥିଲା । ଏହାପରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ ୨୦୧୮ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା । ୪ ବର୍ଷ ପରେ ପାକିସ୍ତାନକୁ ଏଥିରୁ ନିସ୍ତାର ମିଳିଛି । ଗ୍ରେ ଲିଷ୍ଟରେ ରହିବା ପରେ ପାକିସ୍ତାନ ପାଇଁ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ଲିଷ୍ଟରେ ଥିବା କାରଣରୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ଏବଂ ବିଶ୍ବ ବ୍ୟାଙ୍କରୁ ଋଣ ନେଇପାରୁ ନଥିଲା ।

ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ ଓ ୟୁରୋପୀୟନ ୟୁନିୟନରୁ ମଧ୍ୟ ଆର୍ଥିକ ସାହାଯ୍ୟ ନେବାର ସମସ୍ୟା ସୃଷ୍ଟି ହେଉଥିଲା । ବର୍ତ୍ତମାନ ପାକିସ୍ତାନର ସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ଏବେ ଆର୍ଥିକ ସହଯୋଗ ମିଳିପାରେ ।