ପୁଣି ଠକିଗଲା ପାକିସ୍ତାନ, ଇମ୍ରାନ ଦେଇଥିବା ୫୧ ପ୍ରତିଶ୍ରୁତିରୁ ଗୋଟିଏ ପୂରଣ !

1 min read
Pakistan Imran Khan Elections Promises

ଲାହୋର: ପାକିସ୍ତାନ ପୁଣି ବାଛିବ ନୂଆ ସରକାର । ନେତା ଆସିବେ, ପ୍ରତିଶ୍ରୁତି ଦେଇ କ୍ଷମତା ଆବୁଡ଼ିବେ । ଆଗାମୀ ୯୦ ଦିନ ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ପୁଣି କ୍ଷମତା ଯୁଦ୍ଧ ପାଇଁ ଆରମ୍ଭ ହେବ ପ୍ରତିଶ୍ରୁତିର ପର୍ବ । ନିର୍ବାଚନ ଆସିଲେ ପ୍ରତିଶ୍ରୁତି ଦେବା ନୂଆ କଥା ନୁହେଁ । ତେବେ ଆଜି ନଜର ପକାଇବା ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ୍ ପାକିସ୍ତାନ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ସାଢ଼େ ୩ ବର୍ଷରେ କେତେ ପୂରଣ କରିଛନ୍ତି । ଦେଇଥିବା ପ୍ରତିଶ୍ରୁତିର ତାଜା ସ୍ଥିତି କ’ଣ ?

ନୂଆ ପାକିସ୍ତାନ ନାରା

୨୦୧୮ ଜୁଲାଇ ୨୫ରେ ପାକିସ୍ତାନରେ ଲୋକସଭା ନିର୍ବାଚନ ହୋଇଥିଲା । ନିର୍ବାଚନର ଠିକ୍ ପୂର୍ବରୁ ଦେଶର ଜନତାଙ୍କୁ ‘ନୂଆ ପାକିସ୍ତାନ’ ତିଆରି ନେଇ ପ୍ରତିଶ୍ରୁତି ଦେଇଥିଲା ଇମ୍ରାନଙ୍କ ଦଳ ତେହରିକ୍-ଏ-ଇନସାଫ । ଦେଖୁ ଦେଖୁ ଜନତାଙ୍କ ମୁହଁରେ ‘ନୂଆ ପାକିସ୍ତାନ’ ନାରା ଗୁଞ୍ଜରିତ ହୋଇଥିଲା । ୨୦୧୮ରେ ଏହି ପ୍ରତିଶ୍ରୁତିକୁ ନେଇ ବଳୀୟାନ୍ ଇମ୍ରାନଙ୍କ ଦଳ କ୍ଷମତାକୁ ଆସିଥିଲା । ‘ନୂଆ ପାକିସ୍ତାନ’ ନିର୍ମାଣ ପାଇଁ ଇମ୍ରାନ ନିର୍ବାଚନୀ ଇସ୍ତାହାରରେ ମୋଟ ୫୧ଟି ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରେ ଜାତୀୟ ସହ ଆଞ୍ଚଳିକ ପ୍ରସଙ୍ଗ ବି ଥିଲା ।

Pakistan Imran Khan Elections Promises

ପ୍ରତିଶ୍ରୁତିର ସ୍ଥିତି କ’ଣ ?

ସାଢ଼େ ୩ ବର୍ଷର ଶାସନ କାଳ ମଧ୍ୟରେ କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ଇମ୍ରାନ ଖାନ ? ଇମ୍ରାନ ଦେଇଥିବା ପ୍ରତିଶ୍ରୁତିରୁ ସାଢ଼େ ୩ ବର୍ଷରେ ମାତ୍ର ଗୋଟିଏ ପୂରଣ କରିଛନ୍ତି । ୭ଟି ପ୍ରତିଶ୍ରୁତିର କିଛି କାମ ହୋଇଥିବା ବେଳେ, ୩୬ଟି ପ୍ରତିଶ୍ରୁତିର କାମ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । । ସରକାରକୁ ଆସିବା ପରେ ୬ଟି ପ୍ରତିଶ୍ରୁତି କଥା ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ଇମ୍ରାନ ଖାନ ।

ପୂରଣ ହୋଇଥିବା ପ୍ରତିଶ୍ରୁତି

୨୦୧୮ରେ ସରକାରକୁ ଆସିବା ପରେ ଇମ୍ରାନ ଗୋଟିଏ ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେଇଟ ହେଉଛି ବିଦେଶରେ ରହୁଥିବା ପାକିସ୍ତାନୀ ବାସିନ୍ଦାଙ୍କୁ ଭୋଟ୍ ଅଧିକାର । ଇମ୍ରାନ କ୍ଷମତାକୁ ଆସିବା ପରେ ୨୦୨୧ ନଭେମ୍ବର ୧୭ ତାରିଖରେ ଏହି ପ୍ରତିଶ୍ରୁତିକୁ ପୂରଣ କରିଥିଲେ । ଫଳରେ ବିଦେଶରେ ରହୁଥିବା ପାକିସ୍ତାନୀ ଭୋଟ୍ ଦେଇ ପାରିବେ । ଏହାଛଡ଼ା ପାକିସ୍ତାନରେ ଇଭିଏମ୍ ଜରିଆରେ ନିର୍ବାଚନ ପ୍ରକ୍ରିୟାକୁ ଇମ୍ରାନ ଆଗେଇ ନେଇଛନ୍ତି ।

ତେବେ ପାକିସ୍ତାନର ଅନେକ ପ୍ରମୁଖ ସମସ୍ୟାକୁ ସୁଧାରିବାରେ ଅସଫଳ ଇମ୍ରାନ । ଗରିବୀ, କରାଚୀରେ ପାଣି ସଂକଟ, ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା, ରାଜସ୍ୱ, ଦୁର୍ନୀତି ଓ ରୋଜଗାର କ୍ଷେତ୍ରରେ ଇମ୍ରାନଙ୍କ ସରକାର ଲୋକଙ୍କ ଆସ୍ଥା ଜିତିପାରି ନାହିଁ ।