ଜେଲରେ ଇମ୍ରାନଙ୍କୁ ମିଳିଲାନି ବି-କ୍ଲାସ ସୁବିଧା, କେବଳ ଫ୍ୟାନ୍‌ରେ କାଟିଲେ ପ୍ରଥମ ରାତି

1 min read

ଇସଲାମାବାଦ: ପାକିସ୍ତାନ ତେହରିକ ଇ ଇନସାଫ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ବିପଦରେ । ଏନେଇ ଅଭିଯୋଗ କରିଛନ୍ତି ପିଟିଆଇ ଉପାଧ୍ୟକ୍ଷ ଶାହ ମହମ୍ମଦ କ୍ୟୁରେସି । ଏପରିକି ଜେଲରେ ତାଙ୍କୁ ଖାଇବାକୁ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ତୋଷଖାନା ମାମଲାରେ ଇସଲାମାବାଦ ଆଇଜିଙ୍କୁ ଆଦେଶ ଦିଆଯିବା ପରେ ଲାହୋର ପୋଲିସ ତୁରନ୍ତ ଜମାନ ପାର୍କ ଯାଇ ପିଟିଆଇ ମୁଖ୍ୟଙ୍କୁ ଗିରଫ କରିଥିଲା ।

ଆଦିଆଲା ଜେଲରେ ଇମ୍ରାନଙ୍କୁ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ତାଙ୍କୁ ଆତୋକ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ପିଟିଆଇ କହିଛି । ଆତୋକ ଜେଲରେ ବି-କ୍ଲାସ ସୁବିଧା ଯୋଗାଇ ଦିଆଯାଉନାହିଁ ବୋଲି ଦଳ ଅଭିଯୋଗ କରିଛି । ତାଙ୍କୁ ସି-କ୍ଲାସ ଜେଲରେ ରଖାଯାଇଛି ଏବଂ ଏପରିକି ଇମ୍ରାନଙ୍କୁ ଭେଟିବା ଲାଗି ତାଙ୍କ ଓକିଲଙ୍କୁ ଅନୁମତି ଦିଆଯାଉନାହିଁ ।

କ୍ୟୁରେସି କହିଛନ୍ତି- ଇମ୍ରାନଙ୍କ ମେଡିକାଲ ପରୀକ୍ଷା ଲାଗି ତାଙ୍କୁ ମେଡିକାଲ ବୋର୍ଡକୁ ନିଆଯାଉନାହିଁ । ଏହା କୌଣସି ବନ୍ଦୀଙ୍କ ଅଧିକାର ହୋଇଥିବା ସତ୍ତ୍ବେ ଇମ୍ରାନଙ୍କୁ ଏହି ସୁଯୋଗ ଦିଆଯାଉନାହିଁ ବୋଲି କ୍ୟୁରେସି କହିଛନ୍ତି । ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ବିଚାର ବିଭାଗୀୟ ହସ୍ତକ୍ଷେପ ଦାବି କରିଛନ୍ତି କ୍ୟୁରେସି । ତୋଷଖାନା ମାମଲାରେ ଗତ ଶନିବାର କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଇମ୍ରାନ ।

ତାଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ମିଳିଥିବାବେଳେ ସେ ୫ ବର୍ଷ ଲାଗି ନିର୍ବାଚନ ଲଢିପାରିବେନି ବୋଲି କହିଥିଲେ କୋର୍ଟ ।