ଅପରେସନ ସିନ୍ଦୂରରେ ହୋଇ ନଥିଲା ମଧ୍ୟସ୍ଥତା: ପାକିସ୍ତାନ ନିଜେ ଖୋଲିଲା ଆମେରିକା ରାଷ୍ଟ୍ରପତିଙ୍କ ପୋଲ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ବନ୍ଦ କରିବାକୁ କେହି ମଧ୍ୟସ୍ଥତା କରି ନଥିବା ଭାରତ ସ୍ପଷ୍ଟ କରି ସାରିଥିଲେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଣ୍ଡ ବନ୍ଦ ହେଉନି । ୩୦ରୁ ଅଧିକ ଥର ସେ ଅପରେସନ ସିନ୍ଦୂର ବନ୍ଦ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା କହି ଲୋକହସ ହୋଇ ସାରିଲେଣି । ଆଉ ଏହାରି ଭିତରେ ଆମେରିକା ତଥା ଡୋନାଲ୍ଡ ଟ୍ରମ୍ପଙ୍କ ଗେହ୍ଲା ପୁଅ ସାଜିଥିବା ପାକିସ୍ତାନ ନିଜେ ଟ୍ରମ୍ପଙ୍କ ମିଛ ପଦାରେ ପକାଇ ଦେଇଛି । ପେହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଡାରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ଆମେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛୁ, ହେଲେ ତାଙ୍କ ତରଫରୁ କୌଣସି ଜବାବ ମିଳୁନାହିଁ ।
ଏକ କାର୍ଯ୍ୟକ୍ରମରେ ଡାର ସାର୍ବଜନୀନ ସ୍ତରରେ ସ୍ବୀକାର କରି କହିଛନ୍ତି, ଭାରତ କେବେ ବି ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତା ପାଇଁ ରାଜି ହୋଇ ନଥିଲା । ଯେତେବେଳେ ପାକିସ୍ତାନ ଆମେରିକା ବିଦେଶ ମନ୍ତ୍ରୀ ମାର୍କ ଋବିୟୋଙ୍କୁ ଭାରତ ସହ ତୃତୀୟ ପକ୍ଷର ମଧ୍ୟସ୍ଥତା ସମ୍ପକର୍ରେ ପଚାରିଥିଲା, ସେତେବେଳେ ସେ ଏହାକୁ ଗ୍ରହଣ କରି ନଥିଲେ । ହେଲେ ଟ୍ରମ୍ପ ଏକାଧିକ ଥର ମଧ୍ୟସ୍ଥତା କରିଥିବାର ଦାବି କରିଛନ୍ତି । ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କ ଏହି ବୟାନ ପରେ ଟ୍ରମ୍ପ କରୁଥିବା ଦାବିର ସତ, ମିଛ ଦୁନିଆ ଆଗରେ ପୁଣି ଥରେ ସ୍ପଷ୍ଟ ହୋଇଯାଇଛି ।
ପାକିସ୍ତାନ ବିଦେଶମନ୍ତ୍ରୀ କହିଛନ୍ତି, ଆମେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ଭାରତ ଯେମିତି ଚାହୁଁଛି, ସେମିତି ଆଲୋଚନା ହେବ । ହେଲେ, ଆମେ ଏଥିପାଇଁ ଭିକ ମାଗିବୁ ନାହିଁ । ଯଦି କୌଣସି ଦେଶ ଆଲୋଚନା କରିବାକୁ ଚାହୁଁଛି, ଆମେ ତାଙ୍କୁ ସ୍ବାଗତ କରୁଛୁ । କାରଣ ଆଲୋଚନାରେ ହିଁ ସମସ୍ୟାର ସମାଧାନ ବାହାରିଥାଏ । ଏପରିକି ପାକିସ୍ତାନକୁ ଶାନ୍ତି ପ୍ରିୟ ଦେଶ କହିବାକୁ ଭୁଲି ନଥିଲେ । ଯଦି ଭାରତ କଥା ହେବାକୁ ଚାହୁଁନି, ଆମେ ତାଙ୍କ ଉପରେ ଚାପ ପକାଇବୁନି ।