ପାକିସ୍ତାନ ବଢାଉଛି କି ପରମାଣୁ ଶକ୍ତି? କ’ଣ କହୁଛି ରିପୋର୍ଟ…

1 min read

ଇସଲାମାବାଦ: ପରମାଣୁ ଶକ୍ତି ବଳରେ ଅଧିକ ପରାକ୍ରମୀ ହେବ ପାକିସ୍ତାନ । ଅଧିକ ଯୁଦ୍ଧାସ୍ତ୍ର, ଆଣବିକ ଅସ୍ତ୍ର ଆଦି ତିଆରି କରିବାକୁ ଯୋଜନା କରିଛି ପାକିସ୍ତାନ । ଦେଶରେ ଏବେ ଆଣବିକ ଅସ୍ତ୍ର ସଂଖ୍ୟା ୧୬୫ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଗତ ୧୯୯୯ରେ ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା ୨୦୨୦ ସୁଦ୍ଧା ପାକିସ୍ତାନର ଆଣବିକ ଅସ୍ତ୍ର ସଂଖ୍ୟା ୬୦ରୁ ୮୦କୁ ବୃଦ୍ଧି ପାଇବ ।

ମାତ୍ର ବର୍ତ୍ତମାନ ଆଣବିକ ବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି ଯେ ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଛି । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ପାକିସ୍ତାନ ଅଧିକ ଆଣବିକ ଅସ୍ତ୍ର ତିଆରିରେ ମନୋନିବେଶ ହୋଇଥିବାବେଳେ ଫିଜାଇଲ ମ୍ୟାଟରିଆଲ ଉତ୍ପାଦନ ଶିଳ୍ପ ସଂଖ୍ୟା ବୃଦ୍ଧି କରିଛି । ନ୍ୟୁକ୍ଲିୟର ଇନଫର୍ମେସନ ପ୍ରୋଜେକ୍ଟ ବା ଏନଆଇପିର ନିର୍ଦେଶକ ହାନସ କ୍ରିଷ୍ଟେନସନ କହିଛନ୍ତି ଆସନ୍ତା କିଛି ବର୍ଷ ମଧ୍ୟରେ ପାକିସ୍ତାନ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ବଢାଇବ। ଏପରିକି ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୦୦ ହେବ ବୋଲି ଆଶଙ୍କା ରହିଛି ।

ପାକିସ୍ତାନ ପକ୍ଷରୁ ନୂଆ ସ୍ବଳ୍ପ ଦୂରଗାମୀ ଅସ୍ତ୍ର, ସମୁଦ୍ରଭିତ୍ତିକ କ୍ରୁଜ ମିସାଇଲ, ଆକାଶମାର୍ଗକୁ ଉତକ୍ଷେପିତ ହୋଇପାରୁଥିବା କ୍ଷେପଣାସ୍ତ୍ର, ଦୂରଗାମୀ ବାଲିଷ୍ଟିକ ମିଜାଇଲ ଆଦି ତିଆରି କରିବାକୁ ଉଦ୍ୟମ କରୁଛି । ପାକିସ୍ତାନ ନିକଟରେ ଆଣବିକ ଶକ୍ତି ବୃଦ୍ଧି ଯୋଗୁ ପଡୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଷ୍ଟ୍ରକୁ ବଢିପାରେ ବିପଦ ।

ତେବେ ପାକିସ୍ତାନ ନିକଟରେ ଏବେ ୬ଟି କାର୍ଯ୍ୟକ୍ଷମ ଆଣବିକ ସାମର୍ଥ୍ୟ ସମ୍ପନ୍ନ ବାଲିଷ୍ଟିକ ମିଜାଇଲ ରହିଛି । ତନ୍ମଧ୍ୟରେ ରହିଛି ୭୦ କିଲୋମିଟର ଦୂରଗାମୀ ନାସର ବା ହତାଫ-୯ ସଲିଡ ଫୁଏଲ ମିଜାଇଲ । ବିଭିନ୍ନ କ୍ଷେପଣାସ୍ତ୍ର ବଳରେ ଭାରତର ଅନେକ ସ୍ଥାନକୁ ଆକ୍ରମଣ କରିବାର ସମ୍ଭାବନା ବି ରହିଛି ।

Leave a Reply