ପାକିସ୍ତାନରେ କିଏ କରିବ ରାଜ? ଚାଲିଛି ମତଦାନ

1 min read

କରାଚି: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ। ଆଗାମୀ ୫ବର୍ଷ ପାଇଁ ଦେଶ ଗଢ଼ିବ ରାଜନୈତିକ ଭବିଷ୍ୟତ। ଯେଉଁ ସମୟରେ ଦେଶ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ଓ ବିଭିନ୍ନ ଆହ୍ୱାନର ମୁକାବିଲା କରୁଛି ସେ ସମୟରେ ସାଧାରଣ ନିର୍ବାଚନ ବଡ ଭୂମିକା ନିର୍ବାହ କରିବ। ଏହି ନିର୍ବାଚନ ହିଁ ପାକିସ୍ତାନର ଭବିଷ୍ୟତ ନିର୍ଦ୍ଧାରଣ କରିବ।

ବାଲଟ ପେପରରେ ଭୋଟିଂ। ପାକିସ୍ତାନ ମୁସଲିମ ଲିଗ ମୁଖ୍ୟ ନୱାଜ ସରିଫ କ୍ଷମତାକୁ ଫେରିପାରନ୍ତି। ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି। ପାନାମା ପେପର ଲିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କିଛି ବର୍ଷ ବିଦେଶରେ ସେ ରହିଥିଲେ। ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଣ୍ଟ୍ରି ହୋଇଛି । ୨୦୧୭ ମସିହାରେ ପିଏମଏଏଲଏନ ସରକାର ଭାଙ୍ଗିବା ପରେ ୨୦୨୨ରେ ଦଳ ମେଂଟ ସରକାର ଗଠନ କରିଥିଲା।

ନୱାଜଙ୍କ ଭାଇ ସେହେବାଜ ସରିଫ ହୋଇଥିଲେ ପ୍ରଧାନମନ୍ତ୍ରୀ। ପରେ ସରକାର ଭାଙ୍ଗିବା ପରେ ଏବେ ପାକିସ୍ତାନରେ କାମଚଳା ପ୍ରଧାନମନ୍ତ୍ରୀ କରୁଛନ୍ତି ଶାସନ । ପାକିସ୍ତାନ ପିପୁଲ ପାର୍ଟିର ମୁଖ୍ୟ ବିଲାବଲ ଭୁଟୋ ଜର୍ଦାରୀ ଅନ୍ୟତମ ପ୍ରମୁଖ ଦାବିଦାର ଅଟନ୍ତି । ଯଦି ପାକିସ୍ତାନରେ ମେଣ୍ଟ ସରକାର ଗଠନ ହୁଏ ତେବେ ଭୁଟୋଙ୍କ ଦଳ କିଙ୍ଗମେକର ହୋଇପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟୋ ଓ ପୂର୍ବ ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀଙ୍କ ପୁଅ ହୋଇଥିବାରୁ ବିଲାବଲଙ୍କୁ ପାକିସ୍ତାନବାସୀଙ୍କ ସହାନୁଭୂତି ଭୋଟ ମିଳିବା ମଧ୍ୟ ସମ୍ଭାବନା ରହିଛିା

ଉଲ୍ଲେଖଯୋଗ୍ୟ, ଦୀର୍ଘ ୭୬ ବର୍ଷର ଇତିହାସରେ ପାକିସ୍ତାନ ରାଜନୀତିକୁ ନିୟନ୍ତ୍ରଣ କରିଆସିଥିବା ସାମରିକ ବିଭାଗ କିନ୍ତୁ ଏହି ନିର୍ବାଚନରେ ନିରପେକ୍ଷ ଥିବା କୁହାଯାଉଛି । ୩୩୬ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୬୯। ଏଥିରୁ ୨୬୬ଟି ଆସନରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ୭୦ଟି ଆସନ ସଂରକ୍ଷିତ ରହିଛି । ଏହି ୭୦ ଆସନରୁ ୬୦ଟି ମହିଳାଙ୍କ ଲାଗି ଓ ୧୦ଟି ଅଣମୁସଲିମଙ୍କ ଲାଗି ସଂରକ୍ଷିତ ରହିଛି। ଦଳ ବିଜୟୀ ହୋଇଥିବା ଆସନ ଅନୁସାରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ନିର୍ବାଚନରେ ଅନେକ ସ୍ବାଧୀନ ପ୍ରାର୍ଥୀଙ୍କୁ ପିଟିଆଇ ସମର୍ଥନ କରୁଛି। ଦେଶରେ ଜନସଂଖ୍ୟା ୨୪ କୋଟି ୧୦ ଲକ୍ଷ ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ରହିଛି ୧୨ କୋଟି ୮୦ ଲକ୍ଷ । ପିଏମଏଲ-ଏନ ୧୧୫ରୁ ୧୩୨ ଆସନ ପାଇପାରେ ବୋଲି ଆକଳନ କରାଯାଉଛି। ସେହିପରି ପିପିପି ୩୫ରୁ ୪୦ ଓ ପିଟିଆଇ ୨୩ରୁ ୨୯ ଆସନ ପାଇପାରେ ବୋଲି ଆଶା କରାଯାଉଛି।