ଅର୍ଶଦୀପଙ୍କୁ ନେଇ ପାକିସ୍ତାନୀ କ୍ରିକେଟରଙ୍କ ବିବାଦୀୟ ବୟାନ, ବର୍ଷିଲେ ଭଜି

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଟି ୨୦ ବିଶ୍ବକପରେ ପାକିସ୍ତାନକୁ ଭାରତ ହରାଇବା ପରେ ଅସହିଷ୍ଣୁ ହୋଇପଡିଛନ୍ତି ପଡୋଶୀ ଦେଶର ପ୍ରଶଂସକ  । ପାକ୍‌ ପ୍ରଶଂସକଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ମାନେ ମଧ୍ୟ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି  । ପାକିସ୍ତାନ ପୂର୍ବତନ କ୍ରିକେଟର କାମରାନ ଅକମଲ ପରାଜୟ ସହି ନପାରି ଭାରତୀୟ ପେସର ଅର୍ଶଦୀପ ସିଂଙ୍କୁ ନେଇ ଟିପ୍ପଣୀ କରିଛନ୍ତି  । ଅକମଲ କେବଳ ଯେ ଅର୍ଶଦୀପଙ୍କ ତାତ୍ସଲ୍ୟ କରିନାହାନ୍ତି ବରଂ ଶିଖ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି  । ଏହି ଘଟଣାକୁ ବରଦାସ୍ତ କରିନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ  । ଯାହାପରେ ସର୍ବସାଧାରଣରେ କ୍ଷମା ମାଗିଛନ୍ତି ଅକମଲ  ।

ଭାରତ ପାକ୍‌ ମ୍ୟାଚ ଚର୍ଚ୍ଚା ଏକ ଟିଭି ଚ୍ୟାନେଲରେ ଚାଲିଥିବାବେଳେ ସେଠାରେ କାମରାନ ଅର୍ଶଦୀପଙ୍କୁ ନେଇ ଟିପ୍ପଣୀ କରିଥିଲେ  । ପାକିସ୍ତାନକୁ ଏହି ଓଭରରେ ୧୮ ରନର ଆବଶ୍ୟକ ଥିଲା  । କିନ୍ତୁ ଅର୍ଶଦୀପ ପାକିସ୍ତାନକୁ ୧୧ ରନ୍‌ ଦେଇ ଭାରତକୁ ୮ ୱିକେଟରେ ଜିତାଇ ଦେଇଥିଲେ  । ଏହି ସମୟରେ ଟିଭି ଚ୍ୟାନେଲରେ ଅକମଲ କହିଥିଲେ ଶେଷ ଓଭର ଅର୍ଶଦୀପଙ୍କୁ ଦିଆଯାଇଛି  । କିନ୍ତୁ ତାଙ୍କ ହାବଭାବ ଠିକ୍‌ ଲାଗୁନାହିଁ  । ୧୨ଟା ବାଜିବାକୁ ବସିଲାଣି  । କୌଣସି ଶିଖ୍‌ଙ୍କୁ ୧୨ଟା ପରେ ଓଭର ଦେବା ଉଚିତ୍‌ ନୁହେଁ  । ଅକମଲଙ୍କ ଏଭଳି ବୟାନକୁ ଅପମାନଜନକ କହିଥିଲେ ଦର୍ଶକ  ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୂର୍ବତନ କ୍ରିକେଟର ହରଭଜନ ସିଂ ଏହାର ଜବାବ ଦେଇଛନ୍ତି  । ଏକ୍ସ ଡଟ୍‌ କମ୍‌ରେ ଲେଖିଛନ୍ତି କମରାନ ଅକମଲ ତୁମକୁ ଲାଜ ଲାଗିବା କଥା, ଶିଖ୍‌ଙ୍କ ବିଷୟରେ ଏଭଳି କହିବା ପୂର୍ବରୁ ଶିଖ୍‌ଙ୍କ ଇତିହାସ ଜାଣିବା ଜରୁରୀ  । ଶିଖ୍‌ ମାନେ ହି ତୁମ ମା ଓ ଭଉଣୀଙ୍କୁ ଆକ୍ରମଣକାରୀଙ୍କ ଠାରୁ ବଞ୍ଚାଇଥିଲେ  । ଆଉ ସେତେବେଳେ ଘଣ୍ଟାରେ ୧୨ଟା ବାଜିଥିଲା  । ହରଭଜନଙ୍କ ପୋଷ୍ଟ ପରେ କ୍ଷମା ମାଗିଛନ୍ତି ଅକମଲ  ।