ଅନାସ୍ଥା ପ୍ରସ୍ତାବ ଓ ସଂସଦ ଭଙ୍ଗର ଆଇନଗତ ବୈଧତା ମାମଲାର ସୁପ୍ରିମ ଶୁଣାଣି

Pakistan Supreme Court Deputy Speaker National Assembly Ruling Was Wrong

ଇସଲମାବାଦ: ଦୋଛକିରେ ପାକିସ୍ତାନ ରାଜନୀତି । ଆଜି ଅନାସ୍ଥା ପ୍ରସ୍ତାବ ଓ ସଂସଦ ଭଙ୍ଗର ଆଇନଗତ ବୈଧତା ମାମଲାର ହେବ ସୁପ୍ରିମ ଶୁଣାଣି । ସେପଟେ ସରକାରଙ୍କୁ ଭାଙ୍ଗିବା ଷଡ଼ଯନ୍ତ୍ର ବିରୋଧରେ କାମଚଳା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଇଛନ୍ତି ଧାରଣା । ତାଙ୍କ ସରକାରକୁ ଭାଙ୍ଗିବା ଲାଗି ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସେ ବିଷୋଦଗାର କରିଛନ୍ତି ।

ସେପଟେ ଜାତୀୟ ନିରାପତ୍ତା ପରାମର୍ଶଦାତା ମୋୟିଦ ୟୁସୁଫ ଦେଇଛନ୍ତି ଇସ୍ତଫା । ଅଢେଇ ବର୍ଷର କାର୍ଯ୍ୟକାଳ ପରେ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସେ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇବା ସହ ଦେଶ ଲାଗି କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ସେ । ସେ ଜାତୀୟ ନିରାପତ୍ତା ପରାମର୍ଶଦାତା କାର୍ଯ୍ୟାଳୟ, ଜାତୀୟ ନିରାପତ୍ତା ପରିଷଦ ବିଭାଗ, କୌଶଳଗତ ନୀତି ପ୍ଲାନିଂ ସେଲର ଗୁରୁତ୍ବ ବଜାୟ ରଖିବା ଲାଗି ଆହ୍ବାନ ଦେଇଛନ୍ତି ।

ଏହାସହ ଦେଶର କାମଚଳା ପ୍ରଧାନମନ୍ତ୍ରୀ ପଦ ଲାଗି ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ସୁପାରିସ କରାଯାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସୋମବାର ନିର୍ବାଚନ ଶେଷ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାରଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ଆରିଫ ଆଲଭିଙ୍କୁ ସୁପାରିସ କରିଛନ୍ତି। କାମଚଳା ପ୍ରଧାନମନ୍ତ୍ରୀ ଲାଗି ନାମ ସୁପାରିସ କରିବାକୁ ରାଷ୍ଟ୍ରପତି ଉଭୟ ଇମ୍ରାନ ଓ ସଂସଦର ବିରୋଧୀ ଦଳ ନେତା ସେହବାଜ ସରିଫଙ୍କୁ ଚିଠି ଲେଖିଥିଲେ। ରାଷ୍ଟ୍ରପତିଙ୍କ ଚିଠି ଆଧାରରେ ଇମ୍ରାନ ପୂର୍ବତନ ମୁଖ୍ୟ ବିଚାରପତି ଗୁଲଜାରଙ୍କ ନାମ ସୁପାରିସ କରିଛନ୍ତି।