ବୋମା ବିସ୍ଫୋରଣରେ ଦୋହଲିଲା ଇସଲାମାବାଦର ମସଜିଦ, ୫୦ରୁ ଅଧିକ ମୃତ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଜୁମେ ନମାଜ ସମୟରେ ଏକ ମସଜିଦରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଛି । ଆହତମାନଙ୍କ ପାକିସ୍ତାନ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ସିଡିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିସ୍ଫୋରଣ ପରର ଦୃଶ୍ୟ ହୃଦୟ ବିଦାରକୁ ଥିଲା । ଲୋକଙ୍କ ଶରୀରର ବିଭିନ୍ନ ଅଙ୍ଗ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ଓ ସେନାର ଯବାନ ପହଞ୍ଚି ଇଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ସେନା ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣ କସର-ଏ-ଖଦିଜତୁଲ କୁବର ମସଜିଦରେ ଘଟିଛି । ଯାହା ଇସଲାମାବାଦରେ ଅନ୍ୟତମ ବଡ଼ ମସଜିଦ । ବିସ୍ଫୋରଣ ପରର କିଛି ଭିଡିଓ ଫୁଟଜ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ଘଟଣା ପରେ ଇସଲାମାବାଦରେ କର୍ଫ୍ୟୁ ଜାରି କରାଯାଇଛି ।
ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଲୋକେ ନମାଜ ପଢ଼ିବାକୁ ମସଜିଦରେ ଏକାଠି ହେବାରେ ଲାଗିଥିଲା । ଏହି ସମୟରେ ଜଣେ ଆତ୍ମଘାତି ମସଜିଦ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା । ଯାହାଙ୍କୁ ଗେଟ୍ ପାଖରେ ଅଟକାଇ ଦିଆଯାଇଥିଲା । ତା’ର ଯାଞ୍ଚ କରାଯାଉଥିବା ବେଳେ ସେ ନିଜକୁ ବୋମାରେ ଉଡାଇ ଦେଇଥିଲା । ଆକ୍ରମଣକାରୀର ସମ୍ପର୍କ ଆଫଗାନିସ୍ତାନ ସହ ଥିବା ଇସଲାମାବାଦ ପୋଲିସ କହିଛି । ଅର୍ଥାତ ଆକ୍ରମଣ ପଛରେ ଟିଟିପିର ହାତ ଥିବା କୁହାଯାଉଛି । ହେଲେ ଟିଟିପି ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଆସିନି ।
ତାରଲାଇର ଯେଉଁ ମସଜିଦରେ ଆତ୍ମଘାତି ବିସ୍ଫୋରଣ ଘଟିଛି ତାହା ଶିୟା ସମୁଦାୟର ପ୍ରସିଦ୍ଧ ମସଜିଦ ଥିଲା । ପାକିସ୍ତାନରେ ଏହି ସମୁଦାୟର ପ୍ରାୟ ୨ କୋଟି ଲୋକ ବସବାସ କରିଥାନ୍ତି । ଯାହା ପାକିସ୍ତାନ ଜନସଂଖ୍ୟାର ୧୦ରୁ ୧୨ ପ୍ରତିଶତ ।
୨୦୨୫ ନଭେମ୍ବର ପରେ ଇସଲାମାବାଦରେ ଏହା ଦ୍ବିତୀୟ ବିସ୍ଫଷାରଣ । ୨୦୨୫ ନଭେମ୍ବରରେ ଇସଲାମାବାଦ କୋର୍ଟ ବାହାରେ ଏକ ବିସ୍ଫଷାରଣ ଘଟିଥିଲା । ଯେଉଁଥିରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଥିଲେ । ତହରିକ ଏ ତାଲିବାନ ଏହି ବିସ୍ଫୋରଣର ଦାୟିତ୍ବ ନେଇଥିଲା ।

