ରମଜାନ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ, ୧୬ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ଦିନ ପାକିସ୍ତାନରେ ବିସ୍ଫୋରଣ ହୋଇଛି ।  ଖୈବର ପଖତୁନଖ୍ୱା ପ୍ରଦେଶର ଆଖୋରା ଖଟ୍ଟକରେ ଥିବା ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ନମାଜ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ  ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଜମିଆତ ଉଲେମା-ଏ-ଇସଲାମ-ସାମି ମୁଖ୍ୟ ମୌଲାନା ହମିଦୁଲ ହକ୍ ହକ୍କାନିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେ ପୂର୍ବତନ JUI-S ମୁଖ୍ୟ ଏବଂ ‘ତାଲିବାନର ପିତା’ ମୌଲାନା ସମିଉଲ ହକ୍ ହକ୍କାନିଙ୍କ ପୁଅ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୌଲାନା ହମିଦୁଲ ହକ୍ ହକ୍କାନି ନମାଜ ପାଠ ସମୟରେ ମସଜିଦର ପ୍ରଥମ ଧାଡିରେ ଉପସ୍ଥିତ ଥିଲେ । ଯାହା ସୂଚାଇ ଦେଉଛି ଯେ ସେ ଆକ୍ରମଣର ମୁଖ୍ୟ ଟାର୍ଗେଟ ଥିଲେ। ବିସ୍ଫୋରଣ ପରେ ତୁରନ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଖାଇବର ପଖତୁନଖ୍ୱା ଆଇଜିପି ଜୁଲଫିକର ହମିଦଙ୍କ ଅନୁସାରେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ଏବଂ ଟାର୍ଗେଟ ଥିଲେ ମୌଲାନା ହମିଦୁଲ ହକ୍। ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ବିସ୍ଫୋରଣ ପଛର କାରଣ ଖୋଜାଯାଉଛି। ଦାରୁଲ ଉଲୁମ ହକ୍କାନିଆ ମଦ୍ରାସା ମୌଳବାଦୀ ଇସଲାମିକ ଚିନ୍ତାଧାରା ପାଇଁ କୁଖ୍ୟାତ ଏବଂ ଏହାକୁ ତାଲିବାନ ନେତାଙ୍କ ଶିକ୍ଷାର ମୁଖ୍ୟ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହି ଆକ୍ରମଣ ପରେ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମୌଲାନା ହମିଦୁଲ ହକ୍ ହକ୍କାନି କିଏ?

ମୌଲାନା ହମିଦୁଲ ହକ୍ ମଧ୍ୟ ସାଂସଦ ଥିଲେ। ୨୦୧୮ରେ ତାଙ୍କ ପିତା ମୌଲାନା ସାମିଉଲ ହକ୍‌ଙ୍କ ହତ୍ୟା ପରେ ସେ ଜମିଆତ ଉଲେମା-ଏ-ଇସଲାମ-ସାମିର ମୁଖ୍ୟ ହୋଇଥିଲେ। ତାଙ୍କ ପିତା ମୌଲାନା ସାମିଉଲ ହକ୍, ତାଲିବାନର ପିତା ଭାବରେ ଜଣାଶୁଣା ଥିଲେ ଏବଂ ଆଫଗାନ ତାଲିବାନର ଜଣେ ଦୃଢ଼ ସମର୍ଥକ ଥିଲେ।

୧୯୪୭ ମସିହାରେ ପ୍ରତିଷ୍ଠିତ, ଦାରୁଲ ଉଲୁମ ହକ୍କାନିଆ ପାକିସ୍ତାନର ସବୁଠାରୁ ପ୍ରଭାବଶାଳୀ ଇସଲାମିକ ମଦ୍ରାସା ମଧ୍ୟରୁ ଗୋଟିଏ। ଏହାକୁ ମୌଲାନା ସାମିଉଲ ହକ୍‌ଙ୍କ ପିତା ମୌଲାନା ଅବଦୁଲ ହକ୍‌ ହକ୍କାନି ପ୍ରତିଷ୍ଠା କରିଥିଲେ। ତଥାପି, ଏହି ମଦରାସାର ଇତିହାସ ବିବାଦରେ ପରିପୂର୍ଣ୍ଣ। ୨୦୦୭ ମସିହାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟାକାଣ୍ଡରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କର ଏହି ମଦ୍ରାସା ସହିତ ସମ୍ପର୍କ ଥିବା କୁହାଯାଉଥିଲା, କିନ୍ତୁ ମଦ୍ରାସା ପ୍ରଶାସନ ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲା।