ଇସଲାମବାଦ: ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୧୩୦ରୁ ଅଧିକ । ବିସ୍ଫୋରଣରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡଣ୍ଟ ଅଫ ପୋଲିସ ନଓ୍ବାଜ ଗାସକୋରି ପ୍ରାଣହରାଇଛନ୍ତି । ବାଲୋଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ଏକ ମସଜିଦରେ ଘଟିଛି ବିସ୍ଫୋରଣ । ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଲାଗି ଶହ ଶହ ଲୋକ ମସଜିଦରେ ପ୍ରାର୍ଥନାରତ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ପାକିସ୍ତାନ ତାଲିବାନ ସଂଗଠନ ବି ଏହି ଘଟଣାରେ ସମ୍ପୃକ୍ତି ନେଇ ଅସ୍ବୀକାର କରିଛି । ଗତ କିଛିଦିନ ତଳେ ମାସ୍ତୁଙ୍ଗ ଜିଲ୍ଲାରେ ଏକ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ବାଲୁଚିସ୍ତାନ ସ୍ବରାଷ୍ଟ୍ରମନ୍ତ୍ରୀ ଜାନ ଆଚକଜାଲ । ବିଭିନ୍ନ ହସ୍ପିଟାଲରେ ଏମର୍ଜେନସି ଜାରି କରାଯାଇଛି ।