ପାକିସ୍ତାନକୁ ଜୁଲାଇ ଡର : ଜୁଲାଇରେ ଜିଆ କରିଥିଲେ ବିଦ୍ରୋହ, ଜୁଲାଇରେ ମୁନୀର ମାଡ଼ି ବସିବେ ଗାଦି !
1 min read
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ଜୁଲାଇ ଡ଼ର । ପୁଣି ପାକିସ୍ତାନରେ ଦେଖାଦେଇଛି ବଡ଼ ରାଜନୈତିକ ଅସ୍ଥିରତା । ସତ୍ତା ପରିବର୍ତ୍ତନ ପାଇଁ ଚାଲିଛି ବଡ଼ ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରର ଖଳନାୟକ ସାଜିଛନ୍ତି ଅସୀମ ମୁନୀର । ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପାକ୍ ସେନା ମୁଖ୍ୟ ଅସୀମ ମୁନୀରଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଦାବି କରାଯାଉଛି ଯେ ଅସୀମ ମୁନିର ରାଷ୍ଟ୍ରପତି ପଦରୁ ଆସିଫ ଜର୍ଦ୍ଦାରୀଙ୍କୁ ହଟାଇବା ପାଇଁ ନକ୍ସା ପ୍ରସ୍ତୁତ କରିସାରିଛନ୍ତି । ଅସୀମ ମୁନୀର ଖୁବଶୀଘ୍ର ଜର୍ଦ୍ଦାରୀଙ୍କୁ ଗାଦିଚ୍ୟୁତ କରି ନିଜେ ରାଷ୍ଟ୍ରପତି ପଦ ଗ୍ରହଣ କରିପାରନ୍ତି । କେବଳ ଏତିକି ନୁହେଁ, ଅସୀମ ନିଜର କ୍ଷମତା ବୃଦ୍ଧି କରିବା ପାଇଁ ପାକିସ୍ତାନର ସମ୍ବିଧାନ ସଂଶୋଧନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ପାକ୍ ରାଷ୍ଟ୍ରପତି ଆସିଫ ଜର୍ଦ୍ଦାରୀଙ୍କ ପୁଅ ବିଲାୱାଲ ଭୁଟ୍ଟୋ ସାର୍ବଜନୀନ ଭାବରେ ଅସୀମ ମୁନିରଙ୍କୁ ଏନେଇ ସମାଲୋଚନା କରିଛନ୍ତି। ଏହା ପାକିସ୍ତାନ ରାଜନୀତିରେ ନୂତନ ମୋଡ଼ ଦେଇଛି । କୁହାଯାଉଛି ଯେ, ପାକ୍ ସେନା ପରଦା ପଛରେ ଲୁଚି ଆସିଫ ଜର୍ଦ୍ଦାରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ସେଥିପାଇଁ ବିଲାୱାଲ ଅସୀମ ମୁନିରଙ୍କ ପାଇଁ ବିଷ ଓଗାଳିଛନ୍ତି ।
ଶାହବାଜ ଚୌକି ମଧ୍ୟ ଟଳମଳ !
ଅସୀମ ମୁନୀର ବର୍ତ୍ତମାନ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ସେ ତାଙ୍କର କ୍ଷମତାକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇପାରନ୍ତି। ଏହା ମଧ୍ୟ ପ୍ରଶ୍ନ ଉଠିଛି ଯେ ମୁନୀର କେବଳ ଜର୍ଦ୍ଦାରୀରେ ସୀମିତ ହେବେ ନା ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିବେ। ପୂର୍ବରୁ ମଧ୍ୟ ପାକିସ୍ତାନରେ ସାମରିକ ମୁଖ୍ୟମାନେ ଅତୀତରେ ସରକାରକୁ ଭାଙ୍ଗି ଦେଇଛନ୍ତି । ଏପରି ପରିସ୍ଥିତିରେ, ମୁନୀର ମଧ୍ୟ ଏହି ଦିଗରେ ବଢୁଥିବା ସୂଚନା ମିଳୁଛି । ଅସୀମ ମୁନିର ଜର୍ଦ୍ଦାରୀଙ୍କୁ ବଦଳାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏବେ ପ୍ରଶ୍ନ ହେଉଛି ଜର୍ଦ୍ଦାରୀ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେବେ ନା ତାଙ୍କୁ ବଳପୂର୍ବକ ହଟାଇ ଦିଆଯିବ । ଏସବୁ ଭିତରେ ସରିଫ ପରିବାରର ଚିନ୍ତା ହେଉଛି କି ମୁନିର କେବଳ ନିଜକୁ ପରବର୍ତ୍ତୀ ରାଷ୍ଟ୍ରପତି କରିବେ ନା କ୍ଷମତାର ଏକ ବ୍ୟାପକ ହସ୍ତାନ୍ତର ହେବ ଯେଉଁଥିରେ ଶାହବାଜ ମଧ୍ୟ ତାଙ୍କ ଚୌକି ହରାଇବେ।
ଜୁଲାଇ ଇତିହାସର ପୁନରାବୃତ୍ତି !
ଜର୍ଦ୍ଦାରୀଙ୍କୁ ହଟାଇବା କଥାକୁ ନେଇ ପାକିସ୍ତାନର ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଦେଶରେ ସାମରିକ ଏକଛତ୍ରବାଦର ଭୟ ପୁଣି ଥରେ ଗଣତନ୍ତ୍ର ସମର୍ଥକଙ୍କ ଅସ୍ଥିରତାକୁ ବୃଦ୍ଧି କରିଛି। ପାକିସ୍ତାନର ଅନେକ ଲୋକ ସୋସିଆଲ ମିଡିଆରେ କହିଛନ୍ତି ଯେ ଜୁଲାଇ ମାସରେ ଜିଆ-ଉଲ-ହକ୍ ଇସଲାମାବାଦରେ କ୍ଷମତା ଦଖଲ କରିଥିଲେ। ଏପରି ପରିସ୍ଥିତିରେ, ଜୁଲାଇ ମାସ ପୁଣି ଥରେ ପାକିସ୍ତାନର ରାଜନୈତିକ ଇତିହାସକୁ ପୁନରାବୃତ୍ତି କରିବନି ତ ତାହା ଦେଖିବାକୁ ବାକି ରହିଲା ।