ନିଜ ନାଗରିକଙ୍କ ଉପରେ ଆକାଶରୁ ବୋମା ବର୍ଷା କଲା ପାକିସ୍ତାନ

1 min read

ନନ୍ଦିଘୋଷ ବ୍ୟୁରୋ; ନିଜ ନାଗରିକଙ୍କୁ ହତ୍ୟା କରୁଛି ପାକିସ୍ତାନ । ରାତିଅଧରେ ଆକାଶରୁ ବୋମା ବର୍ଷଣ କରି ଖାଇବର ପଖତୁନଖ୍ୱା ପ୍ରଦେଶକୁ ଧ୍ବଂସସ୍ତୁପରେ ପରିଣତ କରିଛି । ରାତିଅଧରେ  ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ପ୍ରଦେଶରେ ଆକାଶରୁ ବୋମାମାଡ଼ କରିଛି । ରବିବାର ରାତିରେ କେପିର ଖାଇବର ଜିଲ୍ଲାରେ ପାକିସ୍ତାନୀ ଲଢ଼ୁଆ ବିମାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ଅତିକମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ଅଛନ୍ତି। ଏହି ଆକ୍ରମଣରେ ୩୫ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନୀ ଅଧିକାରୀ ଏବଂ ସେନା ଏପର୍ଯ୍ୟନ୍ତ ଏହି ଆକ୍ରମଣ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ସେନା ଖାଇବର ଜିଲ୍ଲାର ତିରାହ ଅଞ୍ଚଳରେ ସାଧାରଣ ଲୋକଙ୍କ ଘରଗୁଡ଼ିକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଅନେକ ଘର ଭୁଶୁଡ଼ି ପଡ଼ିଥିଲା ​​ଏବଂ ଭିତରେ ଶୋଇଥିବା ଲୋକମାନେ ପୋତି ହୋଇଯାଇଥିଲେ। ଆକ୍ରମଣର ପ୍ରାୟ ୧୦ଘଣ୍ଟା ପରେ ମଧ୍ୟ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳେ ମୃତଦେହ ଖୋଜୁଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅଞ୍ଚଳର ବାସିନ୍ଦାମାନେ ଏହାକୁ ଖାଇବର ପଖତୁନଖ୍ୱାରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଏକ ନିର୍ମମ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି । ଦାରା ଗ୍ରାମ ବିଶେଷ ଭାବରେ ଧ୍ୱଂସପ୍ରାପ୍ତ ହୋଇଛି, ଯେଉଁଥିରେ ସର୍ବାଧିକ ମୃତ୍ୟୁ ଘଟିଛି। ରାତି ୨ଟାରେ ପାକିସ୍ତାନୀ ବାୟୁସେନା ତିରାହ ଉପତ୍ୟକାର ଏହି ଗ୍ରାମ ଉପରେ JF-17 ଲଢ଼ୁଆ ବିମାନରୁ ଅତି କମରେ ଆଠଟି LS-6 ବୋମା ପକାଇଥିଲା, ଯାହା ଫଳରେ ଘରଗୁଡ଼ିକ ଧ୍ୱଂସାବଶେଷ ହୋଇଯାଇଥିଲା ଏବଂ ଶୋଇଥିବା ଗ୍ରାମଟି ମଶାଣିରେ ପରିଣତ ହେଇଥିଲା ।

ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ହେଉଛି ଦୁଇଟି ପାକିସ୍ତାନୀ ପ୍ରଦେଶ ଯେଉଁମାନେ ଦୀର୍ଘ ଦିନ ଧରି ଦେଶର ସରକାର ଏବଂ ସେନା ବିରୁଦ୍ଧରେ କ୍ରୋଧ ପୋଷଣ କରିଆସୁଛନ୍ତି। ଏହି ପ୍ରଦେଶଗୁଡ଼ିକରେ ଅନେକ ସଶସ୍ତ୍ର ଗୋଷ୍ଠୀ ମଧ୍ୟ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ପ୍ରଦେଶଗୁଡ଼ିକ ପାଇଁ ଅଧିକ କର୍ତ୍ତୃତ୍ୱ ଏବଂ ସମ୍ବଳ ଦାବି କରନ୍ତି। କିନ୍ତୁ ପାକିସ୍ତାନ ସରକାର ଏବଂ ସେନା ଏହି ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ଆତଙ୍କବାଦୀ ବୋଲି ଆଖ୍ୟା ଦିଅନ୍ତି।

ପାକିସ୍ତାନୀ ସେନା ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିବା ସରକାର ବିରୋଧୀ ଗୋଷ୍ଠୀଗୁଡ଼ିକୁ ଦମନ କରିବାକୁ ଚେଷ୍ଟା କରି ଚାଲିଛି। ପାକିସ୍ତାନୀ ସେନା ନିୟମିତ ଭାବରେ ଦମନ ଅଭିଯାନ ଚଳାଇଥାଏ, କିନ୍ତୁ ରବିବାର ରାତିରେ, ଏହା ଗାଁ ଉପରେ ବୋମା ପକାଇବା ପାଇଁ ଲଢ଼ୁଆ ବିମାନ ବ୍ୟବହାର କରିଥିଲା। କ୍ରମାଜତ ଭାବେ ପାକିସ୍ତାନୀ ସେନା ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ହତ୍ୟା ଏବଂ ବଳପୂର୍ବକ ନିଖୋଜ କରିବାର ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହୋଇଆସୁଛି।