ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ବସ୍ତି, ଦୁଇଟି ମାମଲାରେ ଜାମିନ ପ୍ରଦାନ କଲେ ଲାହୋର ଆଣ୍ଟି ଟେରରିଜିମ କୋର୍ଟ

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି । ଜୁନ ୨ ତାରିଖ ଯାଏଁ ଜାମିନ ପ୍ରଦାନ କରିଛନ୍ତି ଲାହୋର ଆଣ୍ଟି ଟେରରିଜିମ କୋର୍ଟ । ଜିନ୍ନା ହାଉସ ଭଙ୍ଗାରୁଜା ଓ ପିଟିଆଇ କର୍ମକର୍ତ୍ତା ଜିଲ୍ଲେ ଶାହା ହତ୍ୟା ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିଛି । ସେପଟେ  ଲାହୋର ଜମାନ ପାର୍କସ୍ଥିତ ଇମ୍ରାନଙ୍କ ବାସଭବନରେ ପଶିବା ପାଇଁ ସ୍ପେଶାଲ ଟିମ୍ ଗଠନ କରିଛି ପୋଲିସ । ଏକାସାଙ୍ଗରେ ୪ଶହରୁ ଊର୍ଦ୍ଧ୍ବ ପୋଲିସ ତାଙ୍କ ବାସଭବନରେ ପଶିପାରନ୍ତି । ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ଲୁଚି ରହିଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପଞ୍ଜାବ ପୋଲିସ । ତେବେ ୬ ଜଣ ତଥାକଥିତ ଆତଙ୍କବାଦୀ ଖସି ପଳାଉଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି । ଇମ୍ରାନଙ୍କ ସହ ଆଲୋଚନା କରିବା ପରେ ସ୍ପେଶାଲ ଟିମ୍ କ୍ୟାମେରା ସହ ତାଙ୍କ ବାସଭବନରେ ଯାଞ୍ଚ କରିବ ବୋଲି ଆର୍ମି ପକ୍ଷରୁ କୁହାଯାଇଛି । ଇମ୍ରାନଙ୍କ ବାସଭବନକୁ ପୋଲିସ ଟିମ୍ ଘେରି ରହିଛନ୍ତି ।

ସେପଟେ ଜମାନ ପାର୍କରୁ ଫେରାର ହେବାକୁ ଚେଷ୍ଟା କରୁଥିବା ୮ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ଇମ୍ରାନଙ୍କ ବାସଭବନରେ ଅନ୍ୟ କେତେଜଣ ମଧ୍ୟ ଲୁଚି ରହିଥିବା ଦେଖାଯାଇଛି ବୋଲି ପୋଲିସ କହିଛି । ଅର୍ଡର ମିଳିବା ମାତ୍ରେ ଅପରେସନ ଆରମ୍ଭ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ପଞ୍ଜାବ ସରକାର କହିଛନ୍ତି ଡେଡଲାଇନ୍ ସରିଥିବାରୁ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଇମ୍ରାନଙ୍କ ବାସଭବନ ଚାରିପାଖେ ଅସ୍ତ୍ରଧାରୀ ପୋଲିସ ପଇଁତରା ମାରୁଥିବାବେଳେ ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି ।