ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ଆଜି: ପ୍ରଥମ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ
1 min read
ଆଜିଠାରୁ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୀର୍ଘଦିନ ହେଲା ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରତୀକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିବାକୁ ଯାଉଛି । ଗତ ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଆସନ୍ତା ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ଉକ୍ତ ମ୍ୟାଚ ଦେଖିବାକୁ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି । ଏହି ମ୍ୟାଚର ବଡ଼ ଝଲକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିବ ।
ଏଥର ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଟିମ ମଧ୍ୟରେ ୧୫ଟି ମୁକାବିଲା ଦେଖିବାକୁ ମିଳିବ । ୪ଟି ଲେଖାଏଁ ଟିମ୍ ଦୁଇଟି ଗ୍ରୁପରେ ରହିଛନ୍ତି । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛନ୍ତି । ୮ଟି ଟିମ ନିଜ ନିଜ ଗ୍ରୁପରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଗ୍ରୁପର ଟପ-୨ ଟିମ୍ ସେମିଫାଇନାଲ ପାଇଁ କ୍ବାଲିଫାଏ କରିବେ । ପ୍ରଥମ ସେମି ଦୁବାଇରେ ଓ ଦ୍ବିତୀୟ ସେମି ଲଢ଼େଇ ଲାହୋରରେ ହେବ । ଏହାପରେ ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲକୁ ଉନ୍ନୀତ ହେଉଥିବା ଟିମମାନେ ୫ଟି ମ୍ୟାଚ ଖେଳିବେ । ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ସେଥିରୁ ୩ଟି ଭେନ୍ୟୁ ପାକିସ୍ତାନରେ ଗୋଟିଏ ଦୁବାଇରେ ରହିବ ।