ଆସନ୍ତାକାଲି ବିଶ୍ବ ପଖାଳ ଦିବସ, ବିଭିନ୍ନ ହୋଟେଲ ସଂଗଠନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ବିଶ୍ବ ପଖାଳ ଦିବସ । ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ଯକୁ ଲୋକପ୍ରିୟ ଓ ସାରା ବିଶ୍ବରେ ଆଦୃତ କରିବାକୁ ମାର୍ଚ୍ଚ ୨୦ରେ ଏହି ଦିବସ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ସଂଗଠନ ଓ ହୋଟେଲ ପକ୍ଷରୁ ପ୍ରସ୍ତୁତି କରାଯାଇଛି । କଟକ ଜଗନ୍ନାଥ ସେବା ସମିତି ପକ୍ଷରୁ ଆୟୋଜିତ ହୋଇଛି ସାମୁହିକ ପଖାଳ ସେବନ କାର୍ଯ୍ଯକ୍ରମ । ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଦହି ପଖାଳର ମଜା ଲୁଟିଛନ୍ତି । ସେପଟେ ବାଲେଶ୍ବରର ବିଭିନ୍ନ ହୋଟେଲରେ ଏବେଠାରୁ ପ୍ରସ୍ତୁତ ହେଲାଣି ମେନୁ ।

ପାଟିକୁ ଯେମିତି ସୁଆଦିଆ, ଦେହକୁ ବି ସେମିତି ହିତକର । ଡହଡହ ଖରାରେ ବାସି ଭାତ ସାଙ୍ଗକୁ ଦହି ମିଶା ପଖାଳ ଗଣ୍ଡିଏ ପେଟରେ ପଡ଼ିଲେ ମିଳେ ଆତ୍ମତୃପ୍ତି । ଓଡ଼ିଆ ଘରର ଏହି ପଖାଳ କଂସାକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ଆୟୋଜିତ ହେଉଛି ପଖାଳ ଦିବସ । ଏହି ଅବସରରେ କଟକ ସ୍ବେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଦିନକ ପୂର୍ବରୁ ଆୟୋଜିତ ହୋଇଥିଲା ସାମୁହିକ ଦହି ପଖାଳ ସେବନ କାର୍ଯ୍ୟକ୍ରମ । ସହରର ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ । ପଖାଳରେ ଦହି ଫୁଟଣ ସାଙ୍ଗକୁ ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଛୁଇଁ ଭଜା, ବିଲାତି ଚଟଣି, କଖାରୁ ଫୁଲ ଭଜା, ବଢି ଚୁରା, ଚେନାଚୁର ଓ ଶାଗ ଆଦିର ମଜା ଲୁଟିଥିଲେ ଲୋକେ । ପ୍ରାୟ ୫ ବର୍ଷ ହେଲା ସଂସ୍ଥା ପକ୍ଷରୁ ୫ ଶହ ଲୋକଙ୍କ ପାଇଁ ଏପରି ବ୍ଯବସ୍ଥା କରାଯାଉଥିବା କହିଛନ୍ତି ଆୟୋଜକ ।

ବାଲେଶ୍ବରରେ ପଖାଳ ଦିବସ ପାଇଁ ବିଭିନ୍ନ ହୋଟଲ ଓ କ୍ଲବ ମାନଙ୍କରେ କରାଯାଇଛି ବ୍ଯବସ୍ଥା । ମେନୁରେ ଉଭୟ ଆମିଷ ଓ ନିରାମିଷ ବ୍ଯଞ୍ଜନ ରହିଛି । କିଏ ପଖାଳ ସହ ମାଛ ଭଜା, ଚିଙ୍ଗୁଡ଼ି, କଙ୍କଡ଼ା, ଶୁଖୁଆ ଆଦି ରଖିଥିବାବେଳେ କିଏ ବଡ଼ିଚୁରା , ଶାଗ, ବାଇଗଣ ଆଳୁ ଭର୍ତ୍ତା ସହିତ ଶାଗ ଓ ଅନ୍ଯାନ୍ଯ ବ୍ଯଞ୍ଜନ ରଖିଛନ୍ତି । ସେପଟେ ଦିନକ ପୂର୍ବରୁ ଷ୍ଟେସନ କ୍ଲବ ପରିସର କାଳୀମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଛି । ଦହି ପଖାଳ ସାଙ୍ଗକୁ ବଡି ଚୁରା, ଚୁନା ମାଛ ଖଟା, ମାଛ ଭଜା, ବାଇଗଣ ଭର୍ତ୍ତା, ଭଜା, ଶାଗ, ଶୁଖୁଆ ଆଦିର ମଜା ଲୁଟିଛନ୍ତି ଲୋକେ। ଓଡ଼ିଆଙ୍କ ପସନ୍ଦ ପଖାଳ । ଏପରିକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମଧ୍ଯ ଏହା ଲାଗି ହୁଏ । ତେଣୁ ଏହାକୁ ଅଧିକ ପ୍ରଚାର କରିବା ଉଦ୍ଦେଶ୍ଯରେ ୨୦୧୨ରୁ ପାଳନ ହୋଇଆସୁଛି ପଖାଳ ଦିବସ ।