ସାଉଦି ଆରବରେ ପାକ୍ ପ୍ରଧାନମନ୍ତ୍ରୀ ହଟହଟା, ମଦିନା ମସଜିଦରେ ଲାଗିଲା ଚୋର ଚୋର ସ୍ଲୋଗାନ

ଦୁବାଇ: ଆନ୍ତର୍ଜାତିକ ମହଲରେ ପାକିସ୍ତାନର ଛବି ବଦଳିବାର ନାଁ ଧରୁ ନାହିଁ । ବରଂ ବେଳକୁ ବେଳ ଏହା ଆହୁରି ମଳିନ ହେବାରେ ଲାଗିଛି । ଯାହାର ପ୍ରତିଫଳନ ଏବେ ସାଉଦି ଆରବରେ ଦେଖିବାକୁ ମିଳିଛି । ଆତଙ୍କବାଦ, ଆର୍ଥିକ ଅନଟନ ଏବଂ ମାନବାଧିକାର ଉଲ୍ଳଘଂନକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ସମେତ ଖୋଦ୍ କେତେକ ଇସଲାମିକ ରାଷ୍ଟ୍ରରେ ପାକିସ୍ତାନ ପୂର୍ବରୁ ବଦନାମ ହୋଇସାରିଛି । ତେବେ ସାଉଦି ଆରବ ଭଳି ପ୍ରମୁଖ ମୁସଲମାନ ରାଷ୍ଟ୍ରରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ନୱାଜଙ୍କୁ ପୁଣି ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ପ୍ରଧାନମନ୍ତ୍ରୀ ଭାବେ ଶାହାବାଜ୍ ନିଯୁକ୍ତ ହେବା ପରେ ପ୍ରଥମ ବିଦେଶ ଗସ୍ତ ଭାବେ ସେ ତାଙ୍କ ମନ୍ତ୍ରିମଣ୍ଡଳ ସହ ଏବେ ତିନି ଦିନିଆ ଗସ୍ତରେ ସାଉଦି ଆରବ ଯାଇଛନ୍ତି । କିନ୍ତୁ ଶୁକ୍ରବାର ଶାହବାଜ୍ ତାଙ୍କ ମନ୍ତ୍ରୀମାନଙ୍କ ସହ ମଦିନା ମସଜିଦ୍ ପରିଦର୍ଶନରେ ଯାଉଥିବା ବେଳେ ତାଙ୍କୁ ଘୋର ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ଏହି ମସଜିଦରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତି ଥିବା ଶହ ଶହ ଲୋକ ତାଙ୍କ ଉଦ୍ଦେଶ୍ୟରେ ଚୋର, ଚୋର ବୋଲି ନାରା ଦେଇଥିଲେ। ଏହାକୁ ଦେଖି ଶାହବାଜ୍ ଏକପ୍ରକାର ଅପଦସ୍ଥ ହୋଇପଡ଼ିଥିଲେ । ଏଭଳି ନାରା ଦେଇଥିବା ଲୋକମାନଙ୍କୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ନୱାଜଙ୍କ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।