ଇମ୍ରାନଙ୍କ ବିରୋଧରେ ନିଜ ଦଳର ନେତା, ୨୮ରେ ଆସିବ ଅନାସ୍ଥା ପ୍ରସ୍ତାବ

1 min read

ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର 24 ସାଂସଦ ବିଦ୍ରୋହ ଘୋଷଣା କରିଛନ୍ତି । ଦେଶରେ ତୀବ୍ର ଆର୍ଥିକ ସଂକଟ, ମୁଦ୍ରାସ୍ଫୀତିକୁ ନେଇ ଇମ୍ରାନଙ୍କ ବିରୋଧରେ ବିରୋଧୀ ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ଗତ 8 ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଆସନ୍ତା ମାର୍ଚ୍ଚ 21ରେ ନ୍ୟାସନାଲ ଆସେମ୍ୱ୍ଲି ଅଧିବେଶନ ଆହୂତ ହେବାକୁ ଯାଉଥିବା ବେଳେ, 28 ତାରିଖରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ହେବାର ସମ୍ଭାବନା ରହିଛି ।

ତେବେ ତା ପୂର୍ବରୁ ଦଳୀୟ ବିଦ୍ରୋହ ଇମ୍ରାନଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ବିଦ୍ରୋହୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାଜା ରିଆଜ ଓ ନୁର ଆଲାମ ଖାଁ । ଏହି ଅସନ୍ତୁଷ୍ଟ ସାଂସଦମାନେ ଇସଲାମାବାଦର ସିନ୍ଧ୍ ହାଉସରେ ରହୁଛନ୍ତି । ଯାହାକି ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ବାରା ପରିଚାଳିତ ସିନ୍ଧ୍ ସରକାରଙ୍କ ଅନ୍ତର୍ଗତ । ପାକିସ୍ତାନ ସରକାର କହିଛନ୍ତି ଯେ, ଏହି ସାଂସଦଙ୍କୁ ସିନ୍ଧ ସରକାର ଅପହରଣ କରି ନେଇଛନ୍ତି ଏବଂ ପ୍ରଚୁର ଅର୍ଥ ଦେଇ ସେମାନଙ୍କୁ ହାତେଇବାରେ ସକ୍ଷମ ହୋଇଛନ୍ତି । ସେପଟେ ସିନ୍ଧରେ ରାଜ୍ୟପାଳ ଶାସନ ଲାଗୁ କରିବା ଲାଗି ଇମ୍ରାନ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି ।

ନିଜ ଦବଦବାର ପ୍ରମାଣ ଲାଗି ଆସନ୍ତା 27ରେ ଇମ୍ରାନ ଇସଲାମାବାଦରେ 10 ଲକ୍ଷ ଲୋକଙ୍କୁ ନେଇ ଏକ ସମାବେଶ ଆୟୋଜନ କରିବାକୁ ଘୋଷଣା କରିଛନ୍ତି । ତା ପୂର୍ବରୁ 25 ତାରିଖରେ ଆସେମ୍ବ୍ଲି ସମ୍ମୁଖରେ ଥିବା ଡି-ଚୌକକୁ ସମ୍ପୂର୍ଣ୍ଣ କବଜା କରିଦେବା ଲାଗି କର୍ମୀଙ୍କୁ ଆହ୍ବାନ ଜଣାଇଛନ୍ତି ବିରୋଧୀ ଦଳ । ତେବେ ଏହି ଅସ୍ଥିରତା କ୍ଷେତ୍ରରେ ପାକିସ୍ତାନ ସେନା ନିରପେକ୍ଷ ରହିବ ବୋଲି କହିଛନ୍ତି ସେନା ମୁଖପାତ୍ର । 342 ସଦସ୍ୟ ବିଶିଷ୍ଟ ଆସେମ୍ବ୍ଲିରେ ଇମ୍ରାନଙ୍କ ଦଳର 155 ସାଂସଦ ଥିବା ବେଳେ, 6ଟି ଦଳର 23 ସାଂସଦ ତାଙ୍କୁ ସମର୍ଥନ କରୁଛନ୍ତି ।