ଇମ୍ରାନ ଖାନଙ୍କୁ ହତ୍ୟା ଧମକ ଦେଲେ ପାକିସ୍ତାନ ଗୃହମନ୍ତ୍ରୀ

ଇସଲାମବାଦ: ଇମ୍ରାନ ଖାନଙ୍କୁ ହତ୍ୟା ଧମକ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶାସକ ପିଏମଏଲର ଶତ୍ରୁ କହିବା ସହ ହତ୍ୟା କରିବାକୁ ଧମକ ଦେଇଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନଉଲହା । ଇମ୍ରାନ ଦେଶର ରାଜନୀତିକୁ ସେହି ସ୍ତରକୁ ନେଇଛନ୍ତି, ଯେଉଁଠି ଇମ୍ରାନଙ୍କର ହତ୍ୟା କରିଦିଆଯିବ ନହେଲେ ଆମର ହତ୍ୟା ହେବ ବୋଲି ସନଉଲହା କହିଛନ୍ତି । ଶାସକ ଦଳ ପିଏମଏଲଏନର ଅସ୍ତିତ୍ବ ଏବେ ବିପଦରେ ରହିଛି । ଏହାର ରକ୍ଷା ପାଇଁ ଆମେ ଯେକୌଣସି ସ୍ତରକୁ ଯିବୁ ବୋଲି ସେ କହିଛନ୍ତି । ଇମ୍ରାନ ଖାନ ରାଜନୀତିକୁ ଶତ୍ରୁତାରେ ବଦଳାଇ ଦେଇଛନ୍ତି । ଏବେ ଇମ୍ରାନ ଆମର ଶତ୍ରୁ ଓ ତାଙ୍କ ସହ ଶତ୍ରୁ ଭଳି ବ୍ୟବହାର କରାଯିବ ବୋଲି ସନଉଲହା ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଗତ ନଭେମ୍ବରରେ ପିଟିଆଇ ପକ୍ଷରୁ ଆୟୋଜିତ ରାଲିରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏଥିପାଇଁ ସନାଉଲହା ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଥିଲେ ଇମ୍ରାନ ଖାନ୍ ।