ଇମ୍ରାନଙ୍କ ସମର୍ଥକଙ୍କୁ ପାକିସ୍ତାନ ଆର୍ମି ଚିଫଙ୍କ ଚରମ ବାଣୀ

ଲାହୋର: ଇମ୍ରାନଙ୍କ ସମର୍ଥକଙ୍କୁ ପାକିସ୍ତାନ ଆର୍ମି ଚିଫଙ୍କ ଚରମ ବାଣୀ। ମେ ୯ରେ ଯୋଜନାବଦ୍ଧ ଭାବେ ସାରା ଦେଶରେ ହୋଇଥିବା ହିଂସା ଓ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ପାକିସ୍ତାନ ଆର୍ମି ଚିଫ୍ ଅସିମ ମୁନୀର।
ସହିଦ ଯବାନ ଓ ସେମାନଙ୍କ ସ୍ମାରକୀକୁ ଅପମାନିତ କରିବାର ଅଧିକାର କାହାର ନାହିଁ । ପ୍ରତ୍ୟେକ ଯବାନ, ଏଜେନ୍ସି ଓ ସରକାରୀ ଅଧିକାରୀ ଓ ପାକିସ୍ତାନୀ ଜନତାଙ୍କ ପାଇଁ ସେମାନେ ଗର୍ବ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପିଟିଆଇ ସମର୍ଥକଙ୍କ ଦ୍ବାରା ଦେଶରେ ସୃଷ୍ଟି ହୋଇଥିବା ହିଂସାକୁ ନେଇ ବର୍ଷିଛନ୍ତି ପାକିସ୍ତାନୀ ସେନା ମୁଖ୍ୟ।
ସେପଟେ ଅଲ-କାଦୀର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ଜେରା ପାଇଁ NAB ଇମ୍ରାନଙ୍କୁ ସମନ କରିଥିବା ବେଳେ ସେ ଆଜି ହାଜର ହୋଇନପାରନ୍ତି ବୋଲି କୁହାଯାଉଛି। ଇମ୍ରାନଙ୍କ ଜମାନ ପାର୍କ ସ୍ଥିତ ବାସଭବନ ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସମର୍ଥକ ମଧ୍ୟ ଏକାଠି ହୋଇଛନ୍ତି।