ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…
ଭୁବନେଶ୍ୱର : ଆଜି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।
ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ ।