ମାସେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିଥାଏ ଏଭଳି ନୀତି….ଦର୍ଶନ କଲେ ମିଳିବ କୋଟି ପୂଣ୍ୟ

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ।

ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ  ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା, ୩.୩୦ରେ ଭିତର ଶୋଧ, ୩.୪୫ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି, ୫ଟା ରେ ଅବକାଶ, ୫.୪୫ରେ ସୂର୍ଯ୍ୟପୂଜା, ସକାଳ ୬ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୨୦ ରୁ ୬.୫୦ମଧ୍ୟରେ ପହିଲି ଭୋଗ, ସାଢେ ସାତଟା ରୁ ୯ଟା ମଧ୍ୟରେ କୋଠଭୋଗ,  ୯ଟା ୨୦ରୁ ୧୦ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୨ଟାରେ ଦ୍ଵିତୀୟ ଭୋଗ ମଣ୍ଡପ, ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ ୯ଟାରେ ଚନ୍ଦନ ଲାଗି ପରେ ରାତି ୧୦ଟାରେ ମହାପ୍ରଭୁଙ୍କ  ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଏହି ଦିନ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଗବେଷକ ମତଦେଇଛନ୍ତି  ।

ଏହି ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯାଏ  । ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ  ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ  । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି  ।

ମହାପ୍ରଭୁଙ୍କ ରୀତି ନୀତି ଅନୁଯାୟୀ ଆଜିଠାରୁ ସହରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜାଗା ଆଖଡ଼ା ମାନଙ୍କରେ ମଧ୍ୟ ପାହିଲିଭୋଗ ନୀତି ଅନୁଷ୍ଠିତ ହୋଇଥାଏ ।

Leave a Reply