ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି, ମାଆ ଯଶୋଦାଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ପୁରୀ: ଆଜି ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ପରମ୍ପରା ଅନୁସାରେ ମାଆ ଲକ୍ଷ୍ମୀ ଏକ ମାସ ପାଇଁ ବାପ ଘରକୁ ଯାଇଥିବାରୁ ମାଆ ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରୁଛନ୍ତି ସ୍ବାଦିଷ୍ଟ ବ୍ୟଞ୍ଜନ । ସୂର୍ଯ୍ୟୋଦୟ ପୂର୍ବରୁ ଏହା ମହାପ୍ରଭୁଙ୍କୁ ଅର୍ପଣ କରାଯାଏ । ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଥିବାରୁ ପୁରୀରେ ଦେଖିବାକୁ ମିଳିଥି ପ୍ରବଳ ଗହଳି ।

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଶ୍ରୀମନ୍ଦିରରେ ଚାଲିବ ପହିଲି ଭୋଗ ନୀତି । ଏଥିପାଇଁ ବଡି ଭୋର ୨ ଟା ୪୦ ରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପ ଲାଗି କରାଯାଇ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ପରେ ପହିଲି ଭୋଗ ଓ ଗୋପାଳ ବଲ୍ଲଭ କରାଯାଇଥିଲା । ଏହି ସ୍ବତନ୍ତ୍ର ନୀତିକାନ୍ତି ଆଗାମୀ ଏକ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଶୀଘ୍ର ମହାପ୍ରସାଦ ପାଇବେ ।

ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇରଚୁଳ ଆଦି ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତି ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ ।