ଚହଳି ପକେଇ, ଗହଳି ଲଗେଇ ବଡ଼ଦାଣ୍ଡକୁ ଆସିଲେ କଳା ସାଆନ୍ତେ

1 min read

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକରାଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ଆଣିଥିଲେ ସେବାୟତ । ବଳଭଦ୍ରଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଶୂନ୍ୟ ପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ଆସିଥିଲେ ଦେବୀ ସୁଭଦ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଚହଳି ପକେଇ, ଗହଳି ଲଗେଇ ବଡ଼ଦାଣ୍ଡକୁ ଆସିଲେ କଳା ସାଆନ୍ତେ । ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ଗଗନପବନ । ହରିବୋଲ, ହୁଳୁହୁଳିରେ କମ୍ପୁଛି ବଡ଼ଦାଣ୍ଡ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସକାଳ ୬ଟାରେ ମଙ୍ଗଳ ଆଳତି, ୬.୧୦ରେ ମଇଲମ, ୬.୩୦ରେ ତଡ଼ପଳାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ୱାରପାଳ ପୂଜା ଓ ବେଶ ପୂଜା, ୮-୯ରେ ଗୋପାଳବଳ୍ଲଭ ଓ ସକାଳଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।