ଆଜିଠୁ ଖୋଲିବ ପାହାଳ ମିଠା ବଜାର, ବର୍ଦ୍ଧିତ ଦରରେ ବିକ୍ରି ହେବ ମିଠା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ମିଠା ଦର । ଗତ ମାସ ୧ ତାରିଖରୁ ଓମଫେଡ୍‌ କ୍ଷୀର ଲିଟର ପ୍ରତି ୪ ଟଙ୍କା ଏବଂ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ଭୁବନେଶ୍ବର ଉପକଣ୍ଠ ପାହାଳ ବଜାରକୁ ଛେନା ଯୋଗାଣ କରୁଥିବା ବ୍ୟବସାୟୀ ସଂଘ ମାଧ୍ୟମରେ ଛେନା କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରିଛନ୍ତି । ଏଥିପାଇଁ ପାହାଳ ରସଗୋଲା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ରାଧାବଲ୍ଲଭ ମନ୍ଦିର ପ୍ରାଙ୍ଗଣରେ ବ୍ୟବସାୟୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସର୍ବସମ୍ମତିକ୍ରମେ ବିଭିନ୍ନ ମିଠାରେ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସ୍ଥିର କରାଯାଇଛି । ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ା  କେଜି ପ୍ରତି ୨୮୦ ଟଙ୍କା ସ୍ଥିର କରାଯାଇଛି । ସଂଘରେ ପ୍ରାୟ ୭୦ଟି ମିଠା ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଦୈନିକ ପ୍ରାୟ ୪ ଟନ୍ ଛେନାରେ ମିଠା ପ୍ରସ୍ତୁତ କରାଯାଇ ଓଡ଼ିଶାର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଜିଲ୍ଲାର ବିଭିନ୍ନ ସହରକୁ ଏଠାରୁ ପଠାଯାଇଥାଏ । ଏଥିପାଇଁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମିଠା ବ୍ୟବସାୟ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା ।