ଭୁବନେଶ୍ୱର: ପରଲୋକରେ ପଦ୍ମଶ୍ରୀ ରଜତ କୁମାର କର । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ତଥା ବାଗ୍ମୀ ରଜତ କର । ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ତାଙ୍କର ହୃଦଘାତରେ ଏକ ଘରୋଇ ମେଡିକାଲରେ ପରଲୋକ ଘଟିଛି  ।  ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା କ୍ଷେତ୍ରରେ ସାରା ରାଜ୍ୟରେ ପରିଚିତ ଲାଭ କରିଥିବା ରଜତ କରଙ୍କ ବିୟୋଗରେ ସମସ୍ତେ ସ୍ତମ୍ବୀଭୁତ  । ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ଉପରେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ ପଦ୍ମଶ୍ରୀ ରଜତ କର  ।  ୨ ଅକ୍ଟୋବର ୧୯୩୪ର ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ତାଙ୍କର ପ୍ରଖ୍ୟାତ ପୁସ୍ତକଗୁଡିକ ହେଲା ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ. ଅନ୍ଧପୁଟୁଳି, ଚନ୍ଦନ ହଜୁରୀ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ ଇତ୍ୟାଦି । ଶିକ୍ଷାବିତ ଭାବେ ଜଣାଶୁଣା ରଜତ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି ।

ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି । ତାଙ୍କର ଅନ୍ୟନ କୃତି ଓ ଜ୍ଞାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ  । ଏଥିସ ସହିତ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ ସ୍ୱର୍ଗତ ରଜତ କର ।