ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ପରଲୋକ, କୋଭିଡରେ ଥିଲେ ସଂକ୍ରମିତ

ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଦେହାନ୍ତ  ।  କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ  । ନଭେମ୍ବର ୨୯ ତାରିଖରେ ନନ୍ଦ ସାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିଲେ । ତା’ପରେ ସେହି ଦିନ ରାତିରେ ତାଙ୍କୁ ଟାଟା ମେଡିକାଲ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ୪ ତାରିଖରେ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ତାଙ୍କର ପରଲୋକ ହୋଇଛି ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

କିନ୍ତୁ ନିଜ ଗାଁର ପିଲାମାନଙ୍କୁ ମହାନ କରିବାର ଆସକ୍ତି ତାଙ୍କ ଭିତରେ ଅହରହ ଥିଲା  । ବିନା ଦେୟରେ ଶିକ୍ଷାଦାନ ଜାରି ରଖିଥିଲେ  । ୧୯୪୬ ମସିହାରୁ ନିଜେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ । ଶତାୟୁ ହେଲେ ବି ସେ ପିଲାଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଜୀବନ କାଳ ଭିତରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିଛନ୍ତି । କିନ୍ତୁ ଶେଷରେ ମଣିଷ ତିଆରି ମନ୍ଦିରର ବିଶ୍ୱକର୍ମା ଆଖି ବୁଜିଛନ୍ତି  । ନନ୍ଦ ସାରଙ୍କ ଦେହାନ୍ତରେ ମର୍ମାହତ ସମଗ୍ର ରାଜ୍ୟ  । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି  ।

 

Leave a Reply