ମଉଳା ପଦ୍ମଫୁଲରେ ମହାପ୍ରଭୁଙ୍କ ପଦ୍ମବେଶ !

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିଥାଏ । ବୁଧବାର କିମ୍ବା ଶନିବାର ହୋଇଥାଏ ଏହି ବେଶ । ଭକ୍ତ ମନୋହର ଦାଶର ମନବାଞ୍ଛା ପୁରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥାନ୍ତି ।

 

ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ । ସୋଲ, ଜରି, କନା, କଇଥ ଅଠାରେ ପ୍ରସ୍ତୁତ ପଦ୍ମବେଶକୁ ବଡ଼ଛତା ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । କୀରୀଟ, ଚୁଳ, ହୃଦପଦକ, କରପଲ୍ଲବ, ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ଝଲସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସରି ରାତ୍ର ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ପଦ୍ମବେଶ ଅନୁଷ୍ଠିତ ହେବ । ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କ୍ଷୀରି ଓ ଅମାଲୁ ଭୋଗ କରାଯାଇଥାଏ ।

Leave a Reply