ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ଗୃହରେ ବିଧାୟକଙ୍କ ଅସନ୍ତୋଷ
ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ପାଇଁ ଚାଷୀ ଯେତିକି ଅସନ୍ତୋଷ, ଅଧିକ ହରଡ଼ଘଣାରେ ବିଧାୟକମାନେ । ଏ ସମ୍ପର୍କରେ ଚାଷୀଙ୍କ ପ୍ରଶ୍ନକୁ ନେଇ ବିଧାୟକ ଅଡ଼ୁଆରେ ପଡ଼ୁଛନ୍ତି । ଯଦିଓ ଏବେ ଧାନ ଉଠିବା ଆରମ୍ଭ ହୋଇଛି, ହେଲେ ବଳକା ଧାନ କେତେଦିନ ଭିତରେ ବିକିବେ ? କୁହାଯାଉଛି ୧୫ ଦିନରେ ଉଠିବ । ଏହି ଲମ୍ବା ସମୟକୁ ନେଇ ଚାଷୀ ଚିନ୍ତାରେ ଥିବା କହି ସମବାୟ ମନ୍ତ୍ରୀଙ୍କୁ ଘେରିଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ।
ସ୍ୱଛତା ଆଳରେ ନୂଆ ଟେକ୍ନୋଲୋଜି ଆଧାରରେ ଟୋକନ ବ୍ୟବସ୍ଥା କରିଦେଲେ ଖାଲି ଚଳିବନି ବୋଲି କହିଛନ୍ତି ବରଗଡ଼ ବିଧାୟକ । ଚାଷୀ ଯଦି ନିଜର କଷ୍ଟ ଉପାର୍ଜିତ ଧାନ ବିକି ପାରିବେନି, ତେବେ ଏହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଚିଠି ଖଣ୍ଡେ ଖଣ୍ଡେ ଦେଇ ଚୁପ୍ ବସିଗଲେ ଚଳିବନି । ଜଙ୍ଗଲ ଓ ଗ୍ରାମାଞ୍ଚଳ ଭିତରେ ନେଟ୍ କେମିତି ଧରିବ ଯେ ସେଠି ଚାଷୀଙ୍କ ଟୋକନ ଇସ୍ୟୁ ହେବ । ଟୋକନ ବ୍ୟବସ୍ଥାକୁ କୋହଳ କରନ୍ତୁ, ଚାଷୀଙ୍କ ଭିତରେ ଅଶାନ୍ତି ଥିବା କହିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ ।
ବିଧାୟକଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବ୍ୟବସ୍ଥିତ ଢଙ୍ଗରେ ପ୍ରକୃତ ଚାଷୀ କିଭଳି ଧାନ ବିକିବେ । ଦଲାଲ ତଥା ସୀମାନ୍ତବର୍ତ୍ତୀ ବେପାରୀ କିଭଳି ପଶିବେନି । ତାକୁ ନେଇ ସରକାର ସଜାଗ ଅଛନ୍ତି । ଅଯଥାରେ ଚାଷୀଙ୍କ ଆକ୍ରୋଶ ଆଳରେ ଗୃହରେ ଭୁଲ୍ ତଥ୍ୟ ଦେବାରୁ ସଭ୍ୟ ନିବୃତ୍ତ ରହି ସହଯୋଗ କରିବାକୁ ମନ୍ତ୍ରୀ କହିଛନ୍ତି ।