ଅମଳ ପୂର୍ବରୁ ପୋକଙ୍କ କବଳରେ ଧାନ ଚାଷ, ବିଷ ସ୍ପ୍ରେ କଲେ ମଧ୍ୟ ବୋଲ ମାନୁ ନାହାନ୍ତି

ଚାନ୍ଦବାଲି: କରୋନା ଲଘୁଚାପର ଲଗାଣ ବର୍ଷା ଆଉ ଏବେ ପୋକ ଆତଙ୍କ । ଅମଳ ପୂର୍ବରୁ ପୋକ ମାନଙ୍କ କବଳରେ ଧାନ ଚାଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚାୟତ ସମେତ ତିହିଡି ବ୍ଲକର ଶ୍ୟାମସୁନ୍ଦରପୁରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଶହଶହ ହେକ୍ଟର ଚାଷଜମିରେ ଏବେ ଧାନ ଥୋଡ ବାହାରୁଛି । ତେବେ ଅମଳ ହେବା ପୂର୍ବରୁ ସବାଖିଆ ପୋକ ଧାନଥୋଡ ସବୁ ଖାଇଯାଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଧାର କରଜ କରି ଚାଷ କରିଥିବା ଚାଷୀମାନେ ।
ଚାଷ ପ୍ରାରମ୍ଭରୁ ମରୁଡ଼ିର, ପରେ ବନ୍ୟାରେ ସମ୍ପୁର୍ଣ୍ଣ ଚାଷ ଉଜୁଡିଯାଇଥିଲା । ବଳକା ଧାନ ଫସଲ ଯାହାକିଛି କ୍ଷେତରେ ଥିଲା ଏବେ ସବାଖିଆ ପୋକଙ୍କ ପାଦୁର୍ଭାବ ଯୋଗୁ ଧାନଥୋଡ ସବୁ ଅଗାଡି ପାଲଟିଜଲାଣି । ଯାହାଫଳରେ ଫସଲ ସବୁ ଏବେ ଧଳା ଦିଶିଲାଣି । ଫଳରେ ଭୂଇଁପୁର, ଆରଡି, କୋଇଲିଖା, ବାତୋଳ, ସିଙ୍ଗିପୁର, ପହଣା, ତଳଦୁମୁକା, ଉପରଦୁମୁକା, ବାଙ୍କମୁଆଁ ଆଦି ଗାଁର ଶହଶହ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନଙ୍କ କହିବା ଅନୁଯାୟୀ ସବାଖିଆ ପୋକଙ୍କର ଏପରି ପାଦୁର୍ଭାବ ଯେ ବିଷ ସ୍ପ୍ରେ କଲେ ମଧ୍ୟ ବୋଲ ମାନୁ ନାହିଁ ।