ଧାନ ଅମଳକୁ ନେଇ ଚିନ୍ତାରେ ଚାଷୀ: ପାଣି ଅଭାବରୁ ନାଲି ପଡ଼ିଲାଣି ତଳି

ବାଲେଶ୍ୱର: ଆକାଶରେ ବାଦଲ, ହେଲେ ବର୍ଷାର ଦେଖା ନାହିଁ । ଫଳରେ ଜମିରେ ମାଟି ଫାଟି ଆଁ କଲାଣି । ଚାଷ କେମିତି ହେବ ସେନେଇ ଚିନ୍ତାରେ ଚାଷୀ । ପାଣି ଅଭାବରୁ ପୋତା ଯାଇଥିବା ତଳି ନାଲି ପଡ଼ିଗଲାଣି । ପୁଣି କେଉଁଠି ସରକାରୀ ଡିପ୍‌ବୋରଓ୍ୱେଲ୍ ଅଚଳ ହୋଇପଡ଼ିଛି । ସେପଟେ ବର୍ଷା ନହେଲେ ବାଲେଶ୍ୱରରେ ମରୁଡ଼ି ପରିସ୍ଥିତି ଦେଖାଦେଇ ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଚାଷ ଜମିରେ ତଳି ପଡ଼ିଛି । ହେଲେ ପାଣି ଅଭାବରୁ ଉପାଡ଼ି ହେଉନି । ତଳି ସବୁ ପାଣି ଅଭାବରୁ ନାଲି ପଡ଼ିଲାଣି । ଏହି ସ୍ଥିତି ହେଉଛି ବାଲେଶ୍ୱର ଜିଲା ସଦର ବ୍ଲକ୍‌ର ମଥାନି, କୁରାଢିଆ ପଞ୍ଚାୟତର କୁରାଢିଆ, ମଲ୍ଲୀସାହି, ସଂସାରପୁର, ପରମାଦେଇପୁର, ଚାଉଳଘେରା, ହଳଦୀପଦା, ବଡ଼ଖୁଡ଼ି, ଧତାକନ୍ଦ, ତିଗିରିଆ, ନଳବାହାର ଗାଁର । ଗାଁ ଚାରିପାଖରେ ଥିବା ହଜାର ହଜାର ଏକର ଜମିରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଚାଷୀ ଏବେ ଧାନ ଅମଳକୁ ନେଇ ଚିନ୍ତାରେ ପଡ଼ିଛି । ଯାହା ବିହନ ଥିଲା ତାକୁ ତଳି ପକାଇ ଦେଇଛି । ତଳି ପୁଣି କାମରେ ଲାଗୁନି । ଯଦି ତଳି ପୋଡ଼ି ଯାଏ ତେବେ ପୁଣି ତଳି ପକାଇବାକୁ ବିହନ ନଥିବାରୁ ମଥାରେ ହାତ ଦେଇ ବସିଛି ଚାଷୀ । ଗାଁ ନିକଟରେ ରହିଛି ସରକାରୀ ଡିପ୍‌ବୋରଓ୍ୱେଲ୍‌ । ହେଲେ ବର୍ଷକ ପୂର୍ବରୁ ବିଦ୍ୟୁତ ତାର ଚୋରି ହୋଇ ଯାଇଥିବାରୁ ଏହା ଚାଷୀଙ୍କ କାମରେ ଆସୁନି ।

ନଳକୂଅ ଅଚଳ ହୋଇ ଯାଇଥିବାରୁ ଚଳିତବର୍ଷ ବର୍ଷା ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ହାରାହାରି ୧ ହଜାର ମିଲିମିଟର ବର୍ଷା ହୋଇଥାଏ । ହେଲେ ଗତ ୨୦୧୮ ମସିହା ଜୁଲାଇ ମାସରେ ୩୪୮.୦୭ ମିଲିମିଟର, ୨୦୧୯ ଜୁଲାଇରେ ୧୯୪.୦୬ ଓ ଗତ ଜୁଲାଇ ମାସରେ ମାତ୍ର ୧୬୫.୦୭ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସ୍ୱାଭାବିକ ବର୍ଷା ନହେଲେ ଜିଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇପାରେ । ବର୍ଷା ଅଭାବକୁ ଟାଣ ଖରା । ପୁଣି ଚାଷ ଜମିରୁ ପାଣି ସୁଖି ଗଲାଣି । ଲଘୁଚାପ ବର୍ଷା ନହେଲେ, ଶ୍ରାବଣ ମାସରେ ଧାନତଳି ପୋଡ଼ି ଯିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି ।

Leave a Reply