ଅଦିନିଆ ବର୍ଷାରେ ଭାଙ୍ଗି ଗଲାଣି ଅନ୍ନଦାତାଙ୍କ ଅଣ୍ଟା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା

ଭୁବନେଶ୍ବର: ଅଦିନିଆ ବର୍ଷା ଦୋହଲି ଦେଇଛି ଚାଷୀ ମନ । ଏମିତି ସ୍ଥିତିରେ ଚାଷକୁ ସୁରକ୍ଷା ଦେବାକୁ ସରକାର ପ୍ରସ୍ତୁତ ଥିଲେ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ମଣ୍ଡି ଅବ୍ୟବସ୍ଥା ଯୋଗୁଁ ବର୍ଷାରେ ଧାନ ନଷ୍ଟ ହେଲାଣି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନ କିଣା ବ୍ୟବସ୍ଥାକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ସମବାୟ ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଖରାରେ ଓଦା ଧାନ ଶୁଖିବା ପରେ ପୁଣି କିଣିବେ ରାଜ୍ୟ ସରକାର ।

ଅଦିନିଆ ବର୍ଷାରେ ଉପକୂଳ ଓଡ଼ିଶାରେ ଚାଷ କ୍ଷତିଗ୍ରସ୍ତ । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ତେବେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ । ସରକାର ବାରମ୍ବାର ଘୋଷଣା କରିଥିଲେ । ଏବେ ଗ୍ରାଉଣ୍ଡରେ କ’ଣ ଅବସ୍ଥା ନିଜେ ଯାଇ ଦେଖନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ହଜାର ହଜାର ଏକର ଧାନ ଚାଷ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା’ ପାଖରେ ଟୋକନ ନାହିଁ । ଯାହାର ଧାନ ଅମଳ ହୋଇନାହିଁ, ତାକୁ ଟୋକନ ଦିଆଯାଇଥିବା ବିଜେଡି ଅଭିଯୋଗ କରିଛି । ଚାଷୀ ଅମଳ ଧାନକୁ ସାଇତିବାକୁ ଜାଗା ଖୋଜୁଛି । ବର୍ଷା ପାଣି ମଣ୍ଡିରେ ପଶି ଧାନ ନଷ୍ଟ କରି ଦେଲାଣି । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ଅଦିନିଆ ବର୍ଷା ଯୋଗୁଁ ଧାନର ରଙ୍ଗ ବଦଳିବା ସହ ଏଫଏକ୍ୟୁ ମାନକୁ ପ୍ରଭାବିତ କରିବ । ଯାହାଦ୍ବାରା ଚାଷୀ କ୍ଷତି ସହିବେ । ଚାଷୀ ବାଧ୍ୟ ହୋଇ ଦଲାଲଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବେ । ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି । ଦଲାଲ ବି ସକ୍ରିୟ ଅଛନ୍ତି । ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ, ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି ।

ଅଦିନିଆ ବର୍ଷାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ନଥିବା ପରି ସନ୍ଦେହ ଉପୁଜିଛି । ହେଲେ ସମବାୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପାଇଁ ଓକିଲାତି କରିବାକୁ ଯାଇ ଅବାନ୍ତର ଯୁକ୍ତି ରଖିଛନ୍ତି । ବର୍ଷାରେ ଧାନ ନଷ୍ଟ ହେଲାଣି । ହେଲେ ସମବାୟ ମନ୍ତ୍ରୀ କହୁଛନ୍ତି ଖରାରେ ଧାନ ଶୁଖିବା ପରେ ପୁଣି ଗ୍ରହଣ କରିବ ସମବାୟ ବିଭାଗ । ଏହି ବିଚିତ୍ର ଯୁକ୍ତିକୁ କଟାକ୍ଷ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ପାଖରେ ବୋଧେ କିଛି ମନ୍ତ୍ର ଅଛି ବୋଲି ଖରାରେ ଶୁଖାଇ ଧାନ ଠିକ ହେବା କଥା କହୁଛନ୍ତି । ବର୍ଷାରେ ଧାନ ନଷ୍ଟ ହେଉଛି । ଏଥିପାଇଁ ବିପର୍ଯ୍ୟସ୍ତ ମଣ୍ଡି ବ୍ୟବସ୍ଥାକୁ କଂଗ୍ରେସ ଟାର୍ଗେଟ କରିଛି । ଧାନ ରଖିବା ଲାଗି ଗୋଦାମ ଅଛି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସରକାର ବାହସ୍ଫୋଟ ନ ମାରି ଚାଷୀଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସ ଦାବି କରିଛି ।