ପଦମପୁରରେ ବିଜେଡିର ବୃହତ ବିଜୟ, ବିରୋଧୀ ଚିତପଟାଙ୍ଗ

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେଡିକୁ ବୃତ ବିଜୟ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦର ବର୍ଷା । ୪୨୬୭୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା । ପ୍ରଥମ ରାଉଣ୍ଡରୁ ଯେଉଁ ଟ୍ରେଣ୍ଡ ଚାଲିଥିଲା ତାହା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟାରେ ନିର୍ବାଚନୀ ଫଳାଫଳ ବିଧିବଦ୍ଧ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ସର୍ବାଧିକ ଏକ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ ମିଳିଛି ।

ପ୍ରଦୀପ ପୁରୋହିତ ୭୮୧୨୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩୫୯୪ ଖଣ୍ଡ ଭୋଟ ପାଇଛନ୍ତି । ଗତ ନିର୍ବାଚନ ତୁଲନାରେ ବର୍ଷା ବାପାଙ୍କ ଠାରୁ ମଧ୍ୟ ଅଧିକ ଭୋଟ୍ ପାଇଛନ୍ତି । ଫଳାଫଳ ଆସିବା ପରେ ବିରୋଧୀ ଚିତ୍ ପଟାଙ୍ଗ ହୋଇଛନ୍ତି । କାରଣ କେହି ଭାବି ନଥିଲେ ଯେ ଏତେ ବ୍ୟବଧାନରେ ବିଜେଡି ବିଜୟୀ ହେବ ବୋଲି । ବିଜେପି ଯେଉଁ ବାହାସ୍ପୋଟ ମାରୁଥିଲା ଯେ ପ୍ରଦୀପ ପୁରୋହିତ ବିଜୟୀ ହେବେ ବୋଲି ତାହା ଧୂଆଁବାଣ ସାବ୍ୟସ୍ତ ହୋଇଛି ।

ଗତ ୨୦୧୯ ନିର୍ବାଚନରେ ବାପା ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭୫୬୫ ଖଣ୍ଡ ଭୋଟ ପାଇଥିଲେ ଏବଂ କଂଗ୍ରେସର ସତ୍ୟଭୂଷଣ ସାହୁ ୩୨ ହଜାର ୭୮୭ ଖଣ୍ଡ ଭୋଟ ପାଇଥିଲେ । ବିଜୟ ବରିହା ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତଙ୍କୁ ୫,୭୩୪ ଖଣ୍ଡ ଭୋଟରେ ପରାଜିତ କରିଥିଲେ । ହେଲେ ଏହି ଉପନିର୍ବାଚନରେ ୪୨ ହଜାରରୁ ଅଧିକ ମାର୍ଜିନରେ ଜିତିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବର୍ଷାଙ୍କ ବିପୁଳ ବିଜୟ ପରେ ରାଜ୍ୟବ୍ୟାପୀ ବିଜେଡି ଉତ୍ସବ ମନାଇଛି ।