‘ଭୋଟ୍ ବିକ୍ରି କଥା କହି ପଦ୍ମପୁର ଭୋଟରଙ୍କ ଅପମାନ କରିଛନ୍ତି ପ୍ରଦୀପ ପୁରୋହିତ’

1 min read

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ପୁରୋହିତଙ୍କ ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି ।

ନନ୍ଦିଘୋଷ ଟିଭିକୁ ଦେଇଥିବା ସାକ୍ଷାତକାରରେ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ପଦମପୁରରେ ୧୦ହଜାର ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି । ନିର୍ବାଚନରେ ହାରିବା ଭୟ ଘାରିଥିବାରୁ ପ୍ରଦୀପ ପୁରୋହିତ ଏପରି ପ୍ରଳାପ କରୁଛନ୍ତି । ପଦମପୁର ର ସଚେତନ ଓ ସମ୍ବେଦନଶୀଳ ବାସିନ୍ଦା ବିକ୍ରି ହୁଅନ୍ତିନି । ସେମାନେ କାହାରି ପାଖରେ ବିକ୍ରି ହୁଅନ୍ତିନି । ସେମାନେ ସ୍ୱାଭିମାନୀ । ବିଜେପି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଦଳ । ସେହି ଦଳର ଜଣେ ନେତା ଏଭଳି ବୟାନ ଦେବା ନିଶ୍ଚିତ ଦୁର୍ଭାଗ୍ୟଜନକ ।

ହାରିବା ଭୟରେ ସେ ଏଭଳି ବିବୃତି ଦେଉଛନ୍ତି । ଆସନ୍ତା ନିର୍ବାଚନରେ ବିଜେପିକୁ ଏହାର ଦୃଢ ଜବାବ ଦେବେ । ଯଦି ପ୍ରଦୀପ ପୁରୋହିତଙ୍କ ପାଖରେ ଭୋଟର ବିକ୍ରି ହୋଇଥିବାର କିଛି ପ୍ରମାଣ ଅଛି ତାହା ସେ ଦିଅନ୍ତୁ ବୋଲି ଘିଭେଲା କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ବେଳେ ପଦମପୁରରେ ୧୦ ହଜାର ଭୋଟ୍ ବିକ୍ରି ହୋଇଥିଲା ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଥିଲେ ।