ପର୍ଲ ଚିଟଫଣ୍ଡ ସ୍କାମ ମାମଲା, ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରୁ ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ

1 min read
PACL Chit Fund Scam CBI Arrested 11 Accused Across The Country

ନୂଆଦିଲ୍ଲୀ: ୬୦ ହଜାର କୋଟି ଟଙ୍କାର ପର୍ଲ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ସଂସ୍ଥା ବନ୍ଦର ୬ ବର୍ଷ ପରେ ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫଙ୍କ ମଧ୍ୟରେ କମ୍ପାନୀର କେତେକ କର୍ମଚାରୀଙ୍କ ସହ ବ୍ୟବସାୟୀ ରହିଛନ୍ତି । ପିଏସିଏଲ୍ ଗ୍ରୁପ୍ ଲୋଭନୀୟ ଅଫର୍ ଦେଇ ୫ କୋଟିରୁ ଅଧିକ ଲୋକଙ୍କୁ ଠକିଥିଲା । ଲୋକଙ୍କୁ ଠକି ବିଦେଶରେ ସମ୍ପତ୍ତି କିଣିଥିଲେ କମ୍ପାନୀର ମାଲିକ ।

ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ଅନୁସାରେ, ପର୍ଲ ଏଗ୍ରୋ କର୍ପୋରେସନ୍ ଲିମିଟେଡ୍ ଚିଟଫଣ୍ଡ ସ୍କାମ୍ ମାମଲାରେ ସିବିଆଇ ବିଭିନ୍ନ ରାଜ୍ୟରୁ ୧୧ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଚନ୍ଦ୍ର ଭୂଷଣ ଢିଲ୍ଲନ, ପ୍ରେମ ନାଥ, ମନମୋହନ କମଲ ମହାଜନ, ମୋହନଲାଲ ସେହଜପାଲ, କମ୍ବଲଜୀତ ସିଂହ ତୋର ଅଛନ୍ତି । ଏହି ଅଭିଯୁକ୍ତମାନେ ପର୍ଲ ଗ୍ରୁପର କର୍ମଚାରୀ ।

ବ୍ୟବସାୟୀ ପ୍ରବୀଣ କୁମାର ଅଗ୍ରୱାଲ, ମନୋଜ କୁମାର ଜୈନ୍, ଆକାଶ ଅଗ୍ରୱାଲ, ଅନିଲ କୁମାର ଖେମକା, ସୁଭାଷ ଅଗ୍ରୱାଲ, ରାଜେଶ ଅଗ୍ରୱାଲଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ, ଚଣ୍ଡିଗଡ଼, କୋଲକାତା, ଭୁବନେଶ୍ୱର ସହ ଅନ୍ୟ କିଛି ସହରରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ସିବିଆଇ ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା । ମାମଲାରେ ନିର୍ମଳ ସିଂହ ଭଙ୍ଗୁ, ସୁଖଦେବ ସିଂହ, ସୁବ୍ରତ ଭଟ୍ଟାଚାର୍ଯ୍ୟ, ଗୁରମିତ ସିଂହଙ୍କୁ ୨୦୧୬ ଜାନୁଆରୀ ୮ରେ ଗିରଫ କରିଥିଲା । ୨୦୧୬ ଏପ୍ରିଲ ୭ ତାରିଖରେ ଦାଖଲ ହୋଇଥିଲା ଚାର୍ଜସିଟ୍ ।

Leave a Reply