ଗଜପତି : ମେଡିକାଲରେ ଅକ୍ସିଜେନ ସଙ୍କଟ । ରୋଗୀଙ୍କୁ ମିଳୁନି ଅକ୍ସିଜେନ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭ ମାସ ହେଲା ବନ୍ଦ ପଡିଛି ଅକ୍ସିଜେନ ପ୍ଲାଣ୍ଟ। ପାଇପ ଯୋଗେ ଅକ୍ସିଜେନ ରୋଗୀଙ୍କ ଶଯ୍ୟା ପାଖରେ ପହଞ୍ଚି ପାରୁନି । ଏତେ ବଡ ହସ୍ପିଟାଲରେ ଅକ୍ସିଜେନ ପ୍ଳାଣ୍ଟ ଥାଇ ରକ୍ଷଣାବେକ୍ଷଣ ଅଭାବରୁ ମାସ ମାସ ଧରି ବନ୍ଦ ପଡିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତ୍ୟାବଶ୍ୟକ ସ୍ଥଳେ ବ୍ଯବହାର ପାଇଁ ମାତ୍ର ଦୁଇଟି ସିଲିଣ୍ଡର ଥିବା ବେଳେ ତାହାବି ଖାଲି ପଡିଛି। ଫଳରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ସ୍ଥିତି ଏଭଳି ଯେ ଜରୁରୀ ସମୟରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଦାୟିତ୍ଵରେ ଥିବା କର୍ମଚାରୀ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା ଅର୍ଥ ଅଭାବ ଦର୍ଶାଇ ମରାମତି କରୁନଥିବା ଅଭିଯୋଗ ହୋଇଛି।
ଅକ୍ସିଜେନ ସଙ୍କଟ ସୂଚନା ପାଇ ଅଚାନକ ମେଡିକାଲ ପରିଦର୍ଶନ କରିଥିଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୂପେଶ ପାଣିଗ୍ରାହୀ। ସ୍ବାସ୍ଥ୍ୟ ସେବା ସମ୍ପର୍କରେ ରୋଗୀଙ୍କ ସହ ଆଲୋଚନା କରିବା ସହ ସ୍ଥିତିର ଅନୁଧ୍ୟାନ କରିଥିଲେ ବିଧାୟକ। ନିଜେ ଅକ୍ସିଜେନ ପ୍ଳାଣ୍ଟ ବୁଲି ଦେଖିଥିଲେ । କେଉଁ କାରଣରୁ ଏଭଳି ସମସ୍ୟା ଉପୁଜିଛି ? ତୃଟି କେଉଁଠି ରହିଛି ? କିଭଳି ଏହାର ସମାଧାନ ହେବ ? ସେନେଇ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହ ଆଲୋଚନ କରିଛନ୍ତି । ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ? ଚିକିତ୍ସା ଭଳି ସମ୍ବେଦନଶୀଳ ସେବାରେ ଯଦି ଅବହେଳା କରାଯାଉଛି ତେବେ କହିବା କାହାକୁ ? ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯଦି ଏଭଳି ସ୍ଥିତି ତେବେ ଗ୍ରାମାଞ୍ଚଳର ଚିକିତ୍ସା କେନ୍ଦ୍ର କିଭଳି ପରିଚାଳିତ ହେଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

