ମାଲିକର ଫେରିବା ବାଟକୁ ଚାହିଁ ବସିଛି ବୁଢ଼ା ଓଟ

1 min read

ବଲାଙ୍ଗୀର: ଗାଁକୁ ଯେବେ ବସ୍‌ ଗଡ଼ିଥିଲା ମାଗୁଣୀର ଶଗଡ଼ର ଆଦର କମିଥିଲା । କଳ ମୋଟର ଆଗରେ ନିଜ ଭାଗ୍ୟକୁ ସିନା ନିନ୍ଦୁ ଥିଲା ମାଗୁଣୀ । ହେଲେ ନିଜ ସୁଖଦୁଃଖର ସାଥୀ କାଳିଆ ଓ କଷରା ବଳଦକୁ ପର କରିନଥିଲା । ହେଲେ ଏବେ କାଳିଆ ଓ କଷରା ଭଳି ଗୃହପାଳିତ ପ୍ରାଣୀ ଅଛନ୍ତି ସିନା, ମାଗୁଣୀ ଭଳି ଚରିତ୍ରର ଘୋର ଅଭାବ । ପୂରା ଯୌବନ ଓଟର ବଳବପୁରେ କମାଉଥିବା ଜଣେ ସ୍ୱାର୍ଥବାଦୀ ମଣିଷ କିଭିଳି ଶେଷ ସମୟରେ ସ୍ୱାର୍ଥପରତାର ପଚିଚୟ ଦିଏ ତାର ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀରେ । ରାସ୍ତା ବୁଢା ଓଟକୁ ଏକା ଛାଡିଦେଇ ଏବେ ଛୁ ହୋଇଯାଇଛି ମାଲିକ । ଏପଟେ ନିର୍ବାକ ଆଖି ଦୁଇ ହଳ ବଲବଲ କରି ଚାହିଁଛି ମାଲିକର ଫେରିବା ବାଟକୁ ।

ମୁଁ ତୋ ପାଇଁ, ତୁ ମୋ ପାଇଁ । ବୋଧେ ଏଇଆ ସନ୍ଧି କରି ରୋଜଗାର ପାଇଁ ଗୋଡ଼ କାଢ଼ିଥିଲେ ଓଟ ଓ ତାର ମାଲିକ । ଯୌବନରୁ ବାର୍ଦ୍ଧକ୍ୟ ଯାଏ ନିର୍ବାକ ପ୍ରାଣୀଟି କେତେ ଯେ ବୋଝ ବୋହିଛି ତା ପିଠିରେ । ମାଲିକର ଆସୁମାରୀ ସ୍ୱପ୍ନକୁ ଉଣା ଅଧିକେ ସାକାର କରିବାକୁ ମାଧ୍ୟମ ବି ସାଜିଛି । ହେଲେ ସନ୍ଧି ଭିତରେ ଥିବା ଛଳନାକୁ ବୋଧେ ଜାଣିପାରିନଥିଲା ଏ ବୁଢା ଓଟ । ବଲାଙ୍ଗୀର-କଳାହାଣ୍ଡି ସୀମା କେସିଙ୍ଗାରେ ଲେଖାହୋଇଛି ଏ ହୃଦୟ ବିଦାରକ କାହାଣୀ । ଯେଉଁଠି ସ୍ୱାର୍ଥ ସରିଗଲା ପରେ ଗୋଟିଏ ବୁଢା ଓଟକୁ ଛାଡି ଦେଇଛି ତାର ମାଲିକ । ଅବଶ ଓ ଅଥୟ ଶରୀରର ବୋଝ ବୋହି ଅପେକ୍ଷା କରିଛି ମାଲିକର ଫେରିବା ବାଟକୁ ।

ମାଲିକ ସିନା ଛଳନା କରି ଚାଲିଗଲା । ଏବେ ଓଟକୁ ଆଦରି ନେଇଛନ୍ତି କିଛି ପଶୁପ୍ରେମୀ । ଉଦ୍ଧାର କରିବା ସହ ତା’ର ଚିକିତ୍ସା ଓ ଖାଦ୍ୟପେୟର ନେଇଛନ୍ତି ଦାୟିତ୍ୱ । ଓଟ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଉଠିଛି ଦାବି । କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକକୁ ୩ଟି ଓଟ ନେଇ ଆସିଥିଲେ ୩ଜଣ ବ୍ୟକ୍ତି । ଗାଁ ଗାଁରେ ଓଟ ବୁଲାଇ ବେଶ୍‌ ରୋଜଗାର ବି କରୁଥିଲେ । ହେଲେ ଗୋଟିଏ ଓଟର ବୟାସଧିକ କାରଣରୁ ମାଲିକର ସାଥ ନଦେବାରୁ ଏବେ ରାସ୍ତାରେ ଛାଡିଦେଇଛି ମାଲିକ ।

Leave a Reply